ବନଦୁର୍ଗା ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଜମନକିରା : ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଆନୁକୂଲ୍ୟରେ ସ୍ଥାନୀୟ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ‘ଭାରତୀୟ ଗୟଳ’ (Indian Bison) ସମ୍ପର୍କିତ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବଡ଼ରମା ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ, ବନପାଳ ଆନନ୍ଦ ପରିଡ଼ା, ବନପାଳ ସନ୍ତୋଷ ବାଗ ଏବଂ ବନରକ୍ଷୀ ରାଜେନ୍ଦ୍ର କୁମାର ସିଆଲ ଯୋଗଦେଇ ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହା ସହିତ ବିଦ୍ୟାଳୟର ଶିକ୍ଷକ ସତ୍ୟନାରାୟଣ ସାହୁ, ପ୍ରମୋଦ କୁମାର ସିଂ ଓ ସୁନିଲ ପଟେଲ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଆଗାମୀ ପିଢ଼ିର ଛାତ୍ରଛାତ୍ରୀମାନେ ଯେପରି ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଯତ୍ନବାନ ଓ ଦାୟିତ୍ୱବାନ ହୋଇପାରିବେ, ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସାହପୂର୍ବକ ଭାଗ ନେଇଥିଲେ।

