Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶର ମୂଲ୍ୟ ଦେଉଛନ୍ତି ଆଦିବାସୀ: ଲୋୟର ସୁକତେଲ ଡ୍ୟାମ୍‌ରେ ବୁଡ଼ିଲା ୧୫ ପରିବାରର ସଂସାର, ୩ ମାସ ହେଲା ସ୍କୁଲ ଗୃହରେ ଅନ୍ଧାରି ଜୀବନ !

ବଲାଙ୍ଗୀର,୨୯।୯: ଗଣତାନ୍ତ୍ରିକ ଦେଶରେ ନାଗରିକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରି ବିକାଶର ରଙ୍ଗୀନ ସ୍ବପ୍ନ ଦେଖାଇବା ପ୍ରଶାସନର କେଉଁ ପ୍ରକାର ନ୍ୟାୟ ? ଲୋୟର ସୁକତେଲ ଡ୍ୟାମ୍ ପ୍ରକଳ୍ପ ଯୋଗୁଁ ସର୍ବସ୍ୱ ହରାଇଥିବା ବଲାଙ୍ଗୀର ଜିଲ୍ଲାର କୁମିଆପାଲି ଓ ତେତେଲପଡ଼ାର ଆଦିବାସୀ ପରିବାରଗୁଡ଼ିକର ଦୁର୍ଦ୍ଦଶା ଏବେ ପ୍ରଶାସନିକ ଆନ୍ତରିକତା ଓ ସମ୍ବେଦନଶୀଳତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗତ ତିନି ମାସ ହେବ ଡ୍ୟାମ୍ ପାଣିରେ ଘରଦ୍ୱାର ବୁଡ଼ିଯିବା ପରେ ପନ୍ଦରରୁ ଊର୍ଦ୍ଧ୍ୱ ପରିବାର ନିଜର ଆସବାବପତ୍ର ଓ କୁନି କୁନି ପିଲାଙ୍କୁ ଧରି ସ୍କୁଲ ଗୃହରେ ଜୀବନ କାଟୁଛନ୍ତି। ଘର ଭାଙ୍ଗିଯାଇଛି, ଜମିଜମା ପାଣିରେ ଲୀନ ହୋଇଯାଇଛି। ନିଜର ସଞ୍ଚିତ ସାମଗ୍ରୀକୁ ନିଜେ ବୋହି ଆଣି ସ୍କୁଲର ଅପ୍ରଶସ୍ତ କୋଠରୀରେ ଦିନ କାଟୁଥିବା ଏହି ବିସ୍ଥାପିତ ମାନଙ୍କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଏହା ବିକାଶ ନା ପ୍ରଶାସନିକ ଅବହେଳାର ଜ୍ୱଳନ୍ତ ଉଦାହରଣ ?
ଅତ୍ୟନ୍ତ ହୃଦୟ ବିଦାରକ କଥା ହେଉଛି, ଏହି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ବିଦ୍ୟୁତ୍ ସଂଯୋଗ ସୁଦ୍ଧା ନାହିଁ। ଯେଉଁ ବୟସରେ କୋମଳମତି ଶିଶୁମାନେ ଖେଳିବୁଲି କଥା ଶିଖିବା ଓ ପାଠ ପଢ଼ିବା କଥା, ସେମାନେ ଅନ୍ଧାରୀ କୋଠରୀରେ ବିନା ମୌଳିକ ସୁବିଧାରେ ଦିନ ବିତାଉଛନ୍ତି। “ଆମ ଘର ପାଣିରେ ବୁଡ଼ିଗଲା” ନିଜ ଅବୋଧ ଭାଷାରେ କୁନି ଶିଶୁଟିଏ କହୁଥିବା ଏହି ପଦିଏ କଥା ସମଗ୍ର ପ୍ରଶାସନିକ ବ୍ୟବସ୍ଥାର କୋଠରପଣକୁ ଦୋହଲାଇ ଦେବା ପାଇଁ ଯଥେଷ୍ଟ।
ସରକାରୀ ସ୍ତରରୁ କୌଣସି ପ୍ରତ୍ୟକ୍ଷ ସହାୟତା ନପାଇ ଏହି ନିରୀହ ଆଦିବାସୀ ପରିବାରଗୁଡ଼ିକ ଆଜି ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଏହି ଦାୟିତ୍ୱହୀନତା ଓ ନିଦାବିଷ୍ଣୁ ମନୋଭାବ ସାଧାରଣରେ ତୀବ୍ର ନିନ୍ଦାର ବିଷୟ ପାଲଟିଛି।
ତିନି ମାସ ଧରି ବିଦ୍ୟୁତ୍ ଓ ମୌଳିକ ସୁବିଧା ବିନା ସ୍କୁଲ ଗୃହରେ ଗୋଟିଏ ପରିବାର କିପରି ଦିନ କାଟୁଛି, ତାହା ଜିଲ୍ଲା ପ୍ରଶାସନର ନଜରକୁ ଆସୁନାହିଁ କିପରି ? ଏହି ବିସ୍ଥାପିତମାନେ କ’ଣ ଦେଶର ନାଗରିକ ନୁହଁନ୍ତି ?
ପ୍ରକଳ୍ପ ନାମରେ ଜୀବିକା ଓ ଆଶ୍ରୟ ଛଡ଼ାଇ ନେବା ପରେ ପୁନର୍ବାସ ପ୍ରକ୍ରିୟା କାହିଁକି ଏତେ ଧୀମା ?
ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକଙ୍କ ହକ୍ ଛଡ଼ାଇ ନେଇ ଚୁପ୍ ରହିବା ପ୍ରଶାସନ ପାଇଁ ଅତ୍ୟନ୍ତ ଲଜ୍ଜା ଜନକ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାର ଗାମ୍ଭୀର୍ଯ୍ୟକୁ ବୁଝି ବିସ୍ଥାପିତ ପରିବାର ଗୁଡ଼ିକୁ ଉପଯୁକ୍ତ ପୁନର୍ବାସ, କ୍ଷତିପୂରଣ ଏବଂ ଅନ୍ତତଃ ପକ୍ଷେ ଅସ୍ଥାୟୀ ରହଣି ସ୍ଥଳରେ ବିଦ୍ୟୁତ୍ ଓ ଜଳ ଯୋଗାଣର ସୁବିଧା କରାନ୍ତୁ, ନଚେତ୍ ଆଗାମୀ ଦିନରେ ଏହା ଏକ ବଡ଼ ଜନଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories