ସମ୍ବଲପୁର ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ରାଜନୀତିକରଣ ଅଭିଯୋଗ: ପ୍ରଶାସନିକ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ନେଇ କଂଗ୍ରେସର ପ୍ରେସମିଟ୍
ଜମନକିରା : ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜମନକିରା ସଦର ମହକୁମାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବକୁ ନେଇ ତୀବ୍ର ରାଜନୈତିକ ବିବାଦ ଦେଖାଦେଇଛି। ଏକ ସରକାରୀ ତଥା ପ୍ରଶାସନିକ ସ୍ତରର କାର୍ଯ୍ୟକ୍ରମକୁ ଦଳୀୟ ଭିତ୍ତିରେ ପରିଚାଳନା କରାଯାଇ କେବଳ ଶାସକ ବିଜେପି ଦଳର କର୍ମକର୍ତ୍ତାଙ୍କୁ ଅତିଥି ଭାବେ ସାମିଲ କରାଯାଇଥିବା ଅଭିଯୋଗ ଆଣିଛି ଜମନକିରା ବ୍ଲକ କଂଗ୍ରେସ। ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ଦଳ ପକ୍ଷରୁ ଏକ ଜରୁରୀ ପ୍ରେସମିଟ୍ ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ପଞ୍ଚାୟତ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ୨୯ ଓ ୩୦ ତାରିଖ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ସତ୍ୟବ୍ରତ ସାହୁଙ୍କ ଉପସ୍ଥିତି ରହିଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜନ କରାଯାଇଥିଲା। ତେବେ ଉଦ୍ଘାଟନୀ ଉତ୍ସବ ପାଇଁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ଅନୁଯାୟୀ ବିଧାୟକ ପ୍ରତିନିଧି ଦୁଷ୍ମନ୍ତ ନାୟକଙ୍କୁ ମୁଖ୍ୟ ଅତିଥି ଏବଂ ବିଜେପି ମଣ୍ଡଳ ସଭାପତି (ଜୋନ୍-୧) ବିଜୟ ନାଏକ ଓ ମଣ୍ଡଳ ସଭାପତି (ଜୋନ୍-୨) ମନୋଜ ମାଝୀଙ୍କୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯାଇ ମଞ୍ଚାସୀନ କରାଯାଇଥିଲା। ଏହାକୁ ବିରୋଧ କରି ଆୟୋଜିତ ପ୍ରେସମିଟ୍ରେ ପିସିସି ସଭ୍ୟ ସରୋଜ ପଟ୍ଟନାୟକ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ରୂପେ ଏକ ଜିଲ୍ଲା ସ୍ତରୀୟ ସରକାରୀ ତଥା ପ୍ରଶାସନିକ କାର୍ଯ୍ୟକ୍ରମ ଥିଲା। ଏଥିରେ ଜିଲ୍ଲା ତଥା ଉପଖଣ୍ଡ ସ୍ତରର ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରାଧାନ୍ୟ ମିଳିବା କଥା। ମାତ୍ର ପ୍ରଶାସନିକ ନିୟମାବଳୀକୁ ଜଳାଞ୍ଜଳି ଦେଇ ଶିକ୍ଷା ବିଭାଗ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରୁ ଆରମ୍ଭ କରି ମଞ୍ଚ ପରିଚାଳନା ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ପରିଣତ କରିଛି। ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଏଭଳି ଦଳୀୟକରଣ ଶିକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜମନକିରା ବ୍ଲକ କଂଗ୍ରେସ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମର ତୀବ୍ର ନିନ୍ଦା କରିବା ସହ ସରକାରୀ କାର୍ଯ୍ୟକ୍ରମରେ ଏଭଳି ଦଳୀୟ ପ୍ରଭାବ ବିରୋଧରେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରେସମିଟ୍ରେ କଂଗ୍ରେସ ଦଳର ବ୍ଲକ ସଭାପତି ମନୋଜ ନାୟକ, ଜିଲ୍ଲା ଉପସଭାପତି କିଶୋର ନାଏକ, ଅଶୋକ ଦାନୀ, ଆଶିଷ ଶର୍ମାଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

