Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମାନୁଷିକତାର ଚରମ ସୀମା: ବିଷ ଦେଇ ନିର୍ମମ ଭାବେ ମାରିଦେଲେ ୧୪ଟି ନିରୀହ ଛେଳି, ଗରିବ ପରିବାରର ଭାଙ୍ଗିଗଲା ମେରୁଦଣ୍ଡ

ଜମନକିରା : ମାନବିକତା ଆଜି ମୁଣ୍ଡ ତଳକୁ କରିଛି। କେଉଁଠି ନା କେଉଁଠି ମଣିଷ ଭିତରେ ଥିବା ଈର୍ଷା ଓ ରାକ୍ଷସୀୟ ମନୋବୃତ୍ତି ଏବେ ନିରୀହ ପ୍ରାଣୀଙ୍କ ଜୀବନ ନେବାକୁ ପଛାଉ ନାହିଁ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଆମ୍ବକଟା ଗ୍ରାମରେ ଏଭଳି ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କେହି ଜଣେ ଅଜ୍ଞାତ ଦୁର୍ବୃତ୍ତ ୧୪ଟି ନିରୀହ ଛେଳିଙ୍କୁ ଯୋଜନାବଦ୍ଧ ଭାବେ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ସହିତ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆମ୍ବକଟା ଗ୍ରାମର ସୁରେଶ ଛତ୍ରିଆ ଏକ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରର ହୋଇଥିବା ବେଳେ ଛେଳି ପାଳନ ହିଁ ତାଙ୍କ ପରିବାର ପ୍ରତିପୋଷଣର ଏକମାତ୍ର ସମ୍ବଳ ଥିଲା। ସବୁଦିନ ଭଳି ଆଜି ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସୁରେଶ ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା ଛତ୍ରିଆ ଛେଳି ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲ ପଡ଼ିଆ ଅଞ୍ଚଳକୁ ନେଇଥିଲେ। ଛେଳିମାନେ ଚରୁଥିବା ବେଳେ କୌଣସି ଅସାମାଜିକ ଦୁର୍ବୃତ୍ତ ପୂର୍ବ ଶତ୍ରୁତା କିମ୍ବା ଈର୍ଷା ପରାୟଣ ହୋଇ ଏକ ପ୍ଲାଷ୍ଟିକ କଢ଼ାଇରେ ତୀବ୍ର ବିଷାକ୍ତ ଖାଦ୍ୟ ରଖିଦେଇଥିଲା।
ନିରୀହ ଅବୋଧ ଛେଳିମାନେ ସେହି ବିଷାକ୍ତ ଖାଦ୍ୟ ଖାଇବା ମାତ୍ରେ ଛଟପଟ ହୋଇ ଗୋଟିଏ ପରେ ଗୋଟିଏ ଟଳି ପଡ଼ିଥିଲେ। ଦେଖୁ ଦେଖୁ ଆଖି ଆଗରେ ୧୪ଟି ଛେଳିଙ୍କର କରୁଣ ମୃତ୍ୟୁ ଘଟିଥିଲା। ଏହି ଦୃଶ୍ୟ ଦେଖି ସୁରେଶଙ୍କ ପରିବାର ସ୍ତବ୍ଧ ହୋଇଯାଇଥିଲେ ଏବଂ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିଲେ। କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କଲେ ପରିବାର, ଛେଳି ମାଲିକ କୁନ୍ତଳା ଛତ୍ରିଆ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ଯେ—ଆମେ ଅତି ଗରିବ ଲୋକ। ଏହି ଛେଳିଗୁଡ଼ିକ ହିଁ ଆମ ପେଟର ଦାନା ଥିଲେ। ଏହାକୁ ବିକ୍ରି କରି ଆମେ ଦୁଇ ଓଳି ଖାଇବା ସହ ସଂସାର ଚଳାଉଥିଲୁ। କିଏ ଏତେ ବଡ଼ ଶତ୍ରୁତା ସାଧି ଆମ ପେଟରେ ଲାତ ମାରିଲା? ନିରୀହ ଜୀବଗୁଡ଼ିକ ତାଙ୍କର କ’ଣ କ୍ଷତି କରିଥିଲେ ଯେ ବିଷ ଦେଇ ମାରିଦେଲେ? ଆମକୁ ତୁରନ୍ତ ନ୍ୟାୟ ମିଳୁ ଏବଂ ଅପରାଧୀକୁ କଠୋର ଦଣ୍ଡ ଦିଆଯାଉ। ସେହିପରି ସୁରେଶଙ୍କ ଝିଅ କଲ୍ୟାଣୀ ବାଘ ଅଭିଯୋଗ ବାଢ଼ି କହିଛନ୍ତି ଯେ—ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଯୋଜନାବଦ୍ଧ ଭାବେ ପ୍ଲାଷ୍ଟିକ କଢ଼ାଇରେ ବିଷ ରଖାଯାଇଥିଲା। ଗୋଟିଏ ଝଟକାରେ ଆମ ପରିବାରର ସର୍ବସ୍ୱ ଲୁଟିନେଲେ। ପୋଲିସ ତୁରନ୍ତ ଏହାର ତଦନ୍ତ କରି ଦୋଷୀକୁ ଗିରଫ କରୁ ଏବଂ ଆମ ଭଳି ଅସହାୟ ଗରିବ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ।
ଗ୍ରାମରେ ଏଭଳି ଜଘନ୍ୟ କାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖାଦେଇଛି। ଜଣେ ଗରିବ ପରିବାରର ଜୀବିକା ଉପରେ ଏଭଳି ଆକ୍ରମଣକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତୁରନ୍ତ ସ୍ଥାନୀୟ କୁଚିଣ୍ଡା ପୋଲିସ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ନମୁନା ସଂଗ୍ରହ ପୂର୍ବକ ଫରେନସିକ୍ ଯାଞ୍ଚ କରୁ ଏବଂ ନିର୍ଦ୍ଦୋଷ ପଶୁଙ୍କୁ ବିଷ ଦେଇ ହତ୍ୟା କରିଥିବା ନୃଶଂସ ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ଜୋର୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories