ଅନୁପ୍ରଭା ଫାର୍ମର ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ: ଚାଷୀଙ୍କ ଉନ୍ନତି ଓ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ପଞ୍ଚାୟତର ରେଙ୍ଗାଲବେଡ଼ା ସ୍ଥିତ ମଣ୍ଡପଠାରେ ଅନୁପ୍ରଭା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ବାର୍ଷିକ ସାଧାରଣ ସଭା-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବା ସହ ଶୁଭ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା ଆରମ୍ଭ ହୋଇଥିଲା। ନୁଆଡିହି ପି.ଜି.ର ସଦସ୍ୟାମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ପ୍ରସନ୍ନ କୁମାର ପାତ୍ର, ଜମନକିରା ବିଡିଓ ରବୀନ୍ଦ୍ର କୁମାର ସେଠୀ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଗୋବିନ୍ଦ ପଣ୍ଡା, ମିଶନ ଶକ୍ତି ଡିପିସି ଭାରତୀ ବେଶ୍ରା, ଭୋଜପୁର ସରପଞ୍ଚ କର୍ପୁର ପାତ୍ର ଯୋଗ ଦେଇଥିଲେ। ଏହାସହ ପ୍ରଦାନ ଏନଜିଓର ଟିମ୍ କୋଅର୍ଡିନେଟର ସୁପ୍ରିୟା ପ୍ରଧାନ, ଏଚଟିଓ ହିତେଶ କୁମାର ବଢ଼େଇ, କୁଚିଣ୍ଡା ବିପିସି ଆଶିଷ କୁମାର ପଟ୍ଟନାୟକ ଏବଂ ଏସଆଇଡିଆଇ ର ଭୁବନେଶ୍ୱର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ। କମ୍ପାନୀର ଏକାଉଣ୍ଟାଣ୍ଟ ପବିତ୍ର ପ୍ରଧାନ ୨୦୨୫-୨୦୨୬ ଆର୍ଥିକ ବର୍ଷର ପ୍ରଗତି ରିପୋର୍ଟ ଏବଂ ଆୟ-ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ ବେହେରା ବାର୍ଷିକ ଯୋଜନା ଓ କାର୍ଯ୍ୟପନ୍ଥା ଆଲୋଚନା କରି କହିଥିଲେ ଯେ, କମ୍ପାନୀ ବର୍ତ୍ତମାନ ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ୟବସାୟିକ ସ୍ତରରେ ପହଞ୍ଚିଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ୧୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୬-୨୦୨୭ବର୍ଷ ପାଇଁ କଳା ଧାନ, ବିହନ, ପନିପରିବା, ଦେଶୀ କୁକୁଡ଼ା, ଛେଳି, ଆମ୍ବ, ଲଙ୍କା, ସୋରିଷ ଓ ମୁଗ ଆଦି ଉତ୍ପାଦନ ତଥା ବ୍ୟବସାୟ ପାଇଁ ମୋଟ ୨,୩୩,୫୦,୦୦୦ ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସଭା ପରିଚାଳନାରେ ପ୍ରୋଗ୍ରାମ ମ୍ୟାନେଜର ଜଳନ୍ଧର ପରିଡ଼ା, ଏସଏମଏସ ଶୁଭମ ପ୍ରଧାନ ଓ ଡୋଳାମଣି ଷଣ୍ଢ ସହଯୋଗ କରିଥିଲେ। ଏହି ଅବସରରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଷ୍ଟଲ ପରିଦର୍ଶନ କରାଯାଇଥିଲା। ବୋର୍ଡ ଅଫ ଡାଇରେକ୍ଟର୍ସ ସଦସ୍ୟା ଅଳ୍ପନା ନାୟକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ ତୁଲାଇ ଥିବା ବେଳେ ଶଶ୍ମିତା ପ୍ରଧାନ, ରେଶ୍ମା ଭଇ, ତପସ୍ୱିନୀ ବାଘ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବୋର୍ଡ ସଦସ୍ୟା ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଚାଷୀ, ଅଂଶୀଦାର ଓ କର୍ମଚାରୀମାନଙ୍କୁ ଭୋଜନ ବଣ୍ଟନ କରାଯାଇଥିଲା।

