ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧୀନ କୋଠା କାର୍ଯ୍ୟରେ ବ୍ୟାପକ ଅନିୟମିତତା: ଉଚ୍ଚସ୍ତରୀୟ ତଦନ୍ତ ଦାବିଖବର ପ୍ରକାଶ ପରେ ବି ଚେତୁନାହାନ୍ତି କର୍ତ୍ତୃପକ୍ଷ; ଜିନ୍ଦଲ ବଦଳରେ ବ୍ୟବହାର ହେଉଛି ନିମ୍ନମାନର ଲୁହାଛଡ଼
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧୀନ ନୂତନ ସରକାରୀ କୋଠା କାର୍ଯ୍ୟରେ ଚାଲିଥିବା ଅନିୟମିତତାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପୂର୍ବରୁ ଏ ସଂକ୍ରାନ୍ତରେ ଅଭିଯୋଗ ଓ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି। ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଅଣାଯିବା ପରିବର୍ତ୍ତେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାର୍ଯ୍ୟ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ, ଜମନକିରା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ଥାକରେ ଏକ ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ ଚାଲିଛି। ଉକ୍ତ କୋଠା ପାଇଁ ପୃଥକ୍ ପୃଥକ୍ ଭାବେ ଟେଣ୍ଡର ଆହ୍ୱାନ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରଥମ ଭାଗରେ ଲିଣ୍ଟାଲ୍ (Lintel) ପର୍ଯ୍ୟନ୍ତ କାର୍ଯ୍ୟ ଜଣେ ଠିକାଦାରଙ୍କ ଦ୍ୱାରା ନିୟମାନୁସାରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ଦ୍ୱିତୀୟ ଭାଗ ଅର୍ଥାତ୍ ଲିଣ୍ଟାଲ୍ ଠାରୁ ଛାତ ପର୍ଯ୍ୟନ୍ତ କାର୍ଯ୍ୟ ଭାର ନେଇଥିବା ଠିକାଦାରଙ୍କ କାର୍ଯ୍ୟଶୈଳୀ ଓ ନିର୍ମାଣ ସାମଗ୍ରୀର ମାନକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ନିୟମ ଅନୁସାରେ ନିର୍ମାଣ ସ୍ଥଳରେ ପ୍ରକଳ୍ପର ନାମ, ଅଟକଳ ମୂଲ୍ୟ, ଯନ୍ତ୍ରୀଙ୍କ ନାମ, ଆରମ୍ଭ ଓ ଶେଷ ତାରିଖ, ଆର୍ଥିକ ବର୍ଷ, ଯୋଜନାର ନାମ ତଥା ଠିକାଦାରଙ୍କ ବିବରଣୀ ସମ୍ବଳିତ ଏକ ସୂଚନା ଫଳକ ଲଗାଯିବା ବାଧ୍ୟତାମୂଳକ। କିନ୍ତୁ ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ, ଯାହା ପ୍ରକଳ୍ପର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରୁଛି। କୋଠା ନିର୍ମାଣରେ ବ୍ୟବହୃତ ଫ୍ଲାଇଆଶ୍ ଇଟା ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଏବଂ ସାମାନ୍ୟ ଆଘାତରେ ଭାଙ୍ଗି ଯାଉଥିବା ବେଳେ ଯୋଡେଇ କାର୍ଯ୍ୟରେ ବାଲି ଓ ସିମେଣ୍ଟର ଅନୁପାତ ଠିକ୍ ରହୁନାହିଁ। ସବୁଠାରୁ ଉଦ୍ବେଗଜନକ କଥା ହେଉଛି, ଛାତ ଢଳେଇ ଏବଂ ବିମ୍ ପାଇଁ ପୂର୍ବରୁ ଉଚ୍ଚମାନର ‘ଜିନ୍ଦଲ’ କମ୍ପାନୀର ଲୁହା ଛଡ଼ ବ୍ୟବହାର କରିବା ପାଇଁ ବ୍ଲକ କର୍ତ୍ତୃପକ୍ଷ ନିୟମ କରିଥିବା ବେଳେ ବର୍ତ୍ତମାନ ଖୋଲାଖୋଲି ଭାବେ କମ୍ ଦରର ସାଧାରଣ ନିମ୍ନଦର ର ଲୁହାଛଡ଼ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ବର୍ଷା ଓ ଖରାରେ ପଡ଼ି ରହି ଅତ୍ୟଧିକ କଳଙ୍କି ଲାଗିଯାଇଥିବା ଲୁହା ଛଡ଼ ଗୁଡ଼ିକୁ ମଧ୍ୟ ବିନା ସଫାରେ ସିଧାସଳଖ ଛାତ ବନ୍ଧା କାର୍ଯ୍ୟରେ ଲଗାଯାଉଛି। ଏହାଦ୍ୱାରା ଭବିଷ୍ୟତରେ କୋଠାର ସ୍ଥାୟିତ୍ୱ ଓ ସୁରକ୍ଷା ବିପନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ସାକ୍ଷାତ୍ ବ୍ଲକ୍ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଏଭଳି ଖୁଲମଖୁଲା ନିମ୍ନମାନର କାମ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରାଯିବା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଆଡ଼କୁ ଇଙ୍ଗିତ କରୁଛି।
ଏ ସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ପୂର୍ବରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦୁଇ ମାସ ବିତିଯାଇଥିବା ସତ୍ତ୍ୱେ ସେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷରେ, ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତି ଯେ, “ମୁଁ ଏହା ଉପରେ ତଦନ୍ତ କରି ଦେଖିବି, କିନ୍ତୁ ଯେଉଁ ଛଡ଼ ବ୍ୟବହାର କରାଯାଉଛି ତାହା ସରକାର ଅନୁମୋଦନ କରିଛନ୍ତି।” ତେବେ ଉଚ୍ଚମାନର ଛଡ଼ ବଦଳରେ ଶସ୍ତା ଓ କଳଙ୍କିଲଗା ଛଡ଼ ବ୍ୟବହାରକୁ ଯନ୍ତ୍ରୀ ସଫେଇ ଦେଇ ସମର୍ଥନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ଅର୍ଥର ଏପରି ବ୍ୟାପକ ଅପବ୍ୟୟକୁ ରୋକିବା ପାଇଁ ଏହି କାର୍ଯ୍ୟର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବା, ନିୟମ ଅନୁସାରେ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରାଇବା ଏବଂ ଦୋଷୀ ଠିକାଦାର ତଥା ଅବହେଳାକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଜୋରଦାର ଦାବି କରିଛନ୍ତି। ଭିଜିଲାନ୍ସ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।

