Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଚ୍ଛ ଭାରତର ବିକଳ ଚିତ୍ର: ଜମନକିରା ବ୍ଲକ କାର୍ଯ୍ୟାଳୟରେ ଅପରିଷ୍କାର ଶୌଚାଳୟ, ପ୍ରଶାସନର ଚରମ ଅବହେଳା

ଜମନକିରା : ସରକାର ସ୍ୱଚ୍ଛ ଭାରତ ଅଭିଯାନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିଣ୍ଡିମ ପିଟୁଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏହାର ସମ୍ପୂର୍ଣ୍ଣ ଓଲଟା ଓ ବିକଳ ଚିତ୍ର ଦେଖିବାକୁ ମିଳିଛି। ସରକାରୀ ବାବୁଙ୍କ ନାକ ତଳେ ହିଁ ସ୍ୱଚ୍ଛତାର ଉପହାସ ଉଡ଼ାଯାଉଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଶୌଚାଳୟ ଦୀର୍ଘ ଦିନ ଧରି ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଗନ୍ଧମୟ ଅବସ୍ଥାରେ ପଡ଼ିରହିଛି। କାନ୍ଥ ଓ ଚଟାଣ ସାରା ମଇଳା ଆବର୍ଜନା ଜମି ରହିଛି, ପାଇପ୍ ଲାଇନ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ଏବଂ ଶୌଚାଳୟ ଭିତରେ ଗୋଡ଼ ଦେବା ଅସମ୍ଭବ ହୋଇପଡ଼ିଛି। କେବଳ ସେତିକି ନୁହେଁ, ଶୌଚାଳୟ ପ୍ରବେଶ ଦ୍ୱାର ସମ୍ମୁଖରେ ଖୋଲା କାର୍ଟୁନରେ କୁଢ଼ କୁଢ଼ ଅଳିଆ ଜମା ସାଙ୍ଗକୁ ପାନ ଛେପ, କଫ,ଖଙ୍କାର ଛାରି ପଟେ ପଡୁଛି। ବାହାର କାନ୍ଥରେ ସୁନ୍ଦର ପାରମ୍ପରିକ ଚିତ୍ରକଳା କରି ଆଖିଦୃଶିଆ କରାଯାଇଥିଲେ ମଧ୍ୟ ଭିତରର ଦୃଶ୍ୟ ନର୍କ ସଦୃଶ ହୋଇରହିଛି। ବ୍ଲକ କାର୍ଯ୍ୟାଳୟକୁ ପ୍ରତିଦିନ ବିଭିନ୍ନ ସରକାରୀ କାମରେ ଶହ ଶହ ସାଧାରଣ ଲୋକ ଆସୁଥିବା ବେଳେ ଶୌଚାଳୟର ଏଭଳି ଦୁରାବସ୍ଥା ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଶେଷ କରି ମହିଳା ଓ ବୃଦ୍ଧବୃଦ୍ଧାମାନେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ପ୍ରଶାସନର ଏପରି ଖାମଖିଆଲି ମନୋଭାବକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଏହି ସମସ୍ୟା ସମ୍ପର୍କରେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ, ସେ ଘଟଣାକୁ ଗୁରୁତ୍ୱର ସହ ନେଇ ଏହା ଉପରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଡ଼ିଓଙ୍କ ଏହି ପ୍ରତିଶ୍ରୁତି ପରେ କାର୍ଯ୍ୟାଳୟ ପରିସର କେବେ ସ୍ୱଚ୍ଛ ଓ ବ୍ୟବହାରୋପଯୋଗୀ ହେଉଛି, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories