ଗାନ୍ଧୀ ଜୟନ୍ତୀରେ ସ୍ୱତନ୍ତ୍ର ଗ୍ରାମସଭା: ଜମନକିରା ବ୍ଲକର ୨୧ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ପ୍ରସ୍ତାବ ଅନୁମୋଦିତ, କୁଚିଣ୍ଡା ଓ ବାମରା ବ୍ଲକରେ ମଧ୍ୟ ସ୍ୱତନ୍ତ୍ର ଗ୍ରାମସଭା; ଶିଶୁ ସୁରକ୍ଷା ଓ ଶିଶୁ ଚାଲାଣ ରୋକିବାକୁ ଶପଥ ପାଠ
ଜମନକିରା : ପବିତ୍ର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଜମନକିରା ବ୍ଲକ ଅନ୍ତର୍ଗତ ସମସ୍ତ ୨୧ ଗୋଟି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଅନୁମୋଦନ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବଲପୁର ସମନ୍ୱିତ ବିକାଶ ପ୍ରତିଷ୍ଠାନ’ ପ୍ରକଳ୍ପର ବାଲ୍ୟବିବାହ ନିରୋଧ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ଗ୍ରାମସଭା ମାଧ୍ୟମରେ ଏହି ସମସ୍ତ ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଘୋଷଣା ନିମନ୍ତେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ସମାଜରୁ ଶିଶୁ ଚାଲାଣ, ଶିଶୁ ନିର୍ଯାତନା ଏବଂ ଶିଶୁ ଶ୍ରମିକ ପ୍ରଥାକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଶପଥ ପାଠ କରିଥିଲେ। ଜମନକିରା ସମେତ କୁଚିଣ୍ଡା ଏବଂ ବାମରା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ସିଡି ସଂସ୍ଥାର କର୍ମକର୍ତ୍ତା ଲକ୍ଷ୍ମଣ କିସାନ, ପରିମଳ ପଣ୍ଡା, କମଲ କୁମାର ଭୋଇ, ଶିବନାରାୟଣ ବିଲହର, ସଞ୍ଜୟ କୁମାର ଧରୁଆ ଏବଂ ଭୁବନେଶ୍ୱର ଦ୍ୱିବେଦୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସ୍ଥାନୀୟ ଜନସାଧାରଣ, ଗ୍ରାମର ମୁଖିଆ ଓ ମହିଳାମାନଙ୍କ ବହୁଳ ଅଂଶଗ୍ରହଣରେ ଏହି ଗ୍ରାମସଭାଗୁଡ଼ିକ ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ସମ୍ପନ୍ନ ହୋଇଛି।

