କୁଞ୍ଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ: ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପାଲକୁଦର କ୍ଲଷ୍ଟର ଅନ୍ତର୍ଗତ କୁଞ୍ଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂଜ୍ୟ ବାପୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଛତୁ କଲେତ, ଶିକ୍ଷୟତ୍ରୀ ସବିତା ବିଶ୍ୱାଳ ଓ ତପସ୍ୱିନୀ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧିଜୀଙ୍କ ମହାନ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକମାନେ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ଦେଶପ୍ରୀତି, ସତ୍ୟ ଓ ଅହିଂସା ନୀତି ଉପରେ ଗୁରୁତ୍ୱାରୋପ କରିବା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଐତିହାସିକ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ଼ ଆନ୍ଦୋଳନର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ଶାନ୍ତି, ସଦ୍ଭାବନା ଓ ସ୍ୱଚ୍ଛତାର ପଥ ଅନୁସରଣ କରି ଜଣେ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବାକୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପରିଶେଷରେ ଶିକ୍ଷୟତ୍ରୀ ସବିତା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

