ପ୍ରଶିକ୍ଷିତ ବିଡିଏସପିଙ୍କ ଭବିଷ୍ୟତ ଅନ୍ଧକାରରେ: ସମ୍ବଲପୁରରେ ମନମୁଖୀ ବନ୍ଦ ଅଭିଯୋଗ, ଅନ୍ୟ ଜିଲ୍ଲାରେ ଚାଲିଛି କାର୍ଯ୍ୟଗୋଟିଏ ରାଜ୍ୟରେ ଦ୍ୱିମୁଖୀ ନୀତି: ୫୯ ଦିନର ସରକାରୀ ତାଲିମ ପାଣିରେ ପଡ଼ିଲା କି ? ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି
ସମ୍ବଲପୁର (ଜମନକିରା) : ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ଉଦ୍ୟୋଗୀ କରିବା ଦିଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ସରକାରଙ୍କ ଲକ୍ଷ୍ୟକୁ ଧୂଳିସାତ କରୁଛି। ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦୀର୍ଘ ପ୍ରଶିକ୍ଷଣ ପାଇଥିବା ସମ୍ବଲପୁର ଜିଲ୍ଲାର ବ୍ୟବସାୟ ବିକାଶ ସେବା ପ୍ରଦାନକାରୀ (BDSP) ମାନଙ୍କୁ ହଠାତ୍ ଅକାରଣେ କାର୍ଯ୍ୟରୁ ବଞ୍ଚିତ କରାଯାଉଥିବା ନେଇ ଏକ ଗମ୍ଭୀର ଅଭିଯୋଗ ଉଠିଛି। ଏହି ଦ୍ୱିମୁଖୀ ନୀତି ବିରୋଧରେ ବିଡିଏସପି ପ୍ରତିନିଧିମାନେ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ତୁରନ୍ତ ହସ୍ତକ୍ଷେପ ଲୋଡ଼ି ଦାବିପତ୍ର ପ୍ରଦାନ କରିଛନ୍ତି।
ତାଲିମ ସରିଲା, ଅଭିଜ୍ଞତା ବଢ଼ିଲା, କିନ୍ତୁ କାମ ଛଡ଼ାଇ ନିଆଗଲା:
ଅଭିଯୋଗ ଅନୁଯାୟୀ, ୨୦୨୧ ମସିହାରୁ ମିଶନ ଶକ୍ତି ଯୋଜନା ଅଧୀନରେ ନିୟୋଜିତ ଏହି କର୍ମକର୍ତ୍ତାମାନଙ୍କୁ ସରକାର ପର୍ଯ୍ୟାୟକ୍ରମେ ଉଚ୍ଚସ୍ତରୀୟ ବ୍ୟବସାୟିକ ଦକ୍ଷତା ପ୍ରଦାନ କରିଥିଲେ। ଏଥିରେ ୫ ଦିନର ଏନଆରଇଟିପି (NRETP), କୁଚିଣ୍ଡା ଠାରେ ୪ ଦିନର ଏସଭିଇପି (SVEP) ଏବଂ ପରବର୍ତ୍ତୀ ସମୟରେ ଦୀର୍ଘ ୫୦ ଦିନର ସ୍ୱତନ୍ତ୍ର କଠିନ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ଥିଲା। ଏହି ବ୍ୟାପକ ପ୍ରଶିକ୍ଷଣ ବଳରେ ବିଡିଏସପି ମାନେ ଗ୍ରାମାଞ୍ଚଳରେ ଘରେ ଘରେ ବୁଲି ମହିଳା ଉଦ୍ୟୋଗୀମାନଙ୍କ ବ୍ୟବସାୟିକ ଯୋଜନା (Business Plan) ପ୍ରସ୍ତୁତ କରିବା ସହ ଓଡ଼ିଶା ଷ୍ଟାର୍ଟଅପ୍ ଫାଉଣ୍ଡେସନ (OSF) ଋଣ ସଂଯୋଗୀକରଣରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଥିଲେ।
ଅନ୍ୟ ଜିଲ୍ଲାରେ ପୁନର୍ନିୟୋଜନ, ସମ୍ବଲପୁରରେ ଅସ୍ପଷ୍ଟତା:
ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏହି ବ୍ୟବସ୍ଥା ସ୍ୱାଭାବିକ ଭାବେ ଚାଲୁ ରହିଛି। ମୟୂରଭଞ୍ଜ ଜିଲ୍ଲାରେ ୨୦୨୧ରୁ କାମ କରୁଥିବା ପୁରୁଣା ବିଡିଏସପି ମାନଙ୍କୁ ସ୍ୱତନ୍ତ୍ର ଭାବେ ଡାକି କାର୍ଯ୍ୟ ନ୍ୟସ୍ତ କରାଯାଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଅମ୍ବ୍ରେଲା ପ୍ରୋଜେକ୍ଟ ଅଧୀନରେ ବିଡିଏସପି ମାନେ ସଫଳତାର ସହ OSF କାର୍ଯ୍ୟକ୍ରମ ସମ୍ପାଦନ କରୁଛନ୍ତି। ନିକଟରେ ପୁରୀ ଠାରେ ଅନୁଷ୍ଠିତ ତାଲିମ ଶିବିରରେ ମଧ୍ୟ ବିଡିଏସପି କାର୍ଯ୍ୟ ଆଗକୁ ଜାରି ରହିବା କଥା କୁହାଯାଇଥିବା ନେଇ ତାଲିମ ସାରି ଫେରିଥିବା ଏମବିକେ (MBK) ମାନେ ପ୍ରକାଶ କରୁଛନ୍ତି।
ଅପରପକ୍ଷରେ, ସମ୍ବଲପୁର ଜିଲ୍ଲାରେ “ବିଡିଏସପି କାମ ବନ୍ଦ ହୋଇସାରିଛି” କହି ସେମାନଙ୍କ ଦାୟିତ୍ୱ ସିଆରପି (CRP) ମାନଙ୍କୁ ଦେବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଯଦି ସିଆରପି ମାନଙ୍କ ଦ୍ୱାରା ହିଁ କାମ କରାଯିବାର ଥିଲା, ତେବେ ପୂର୍ବରୁ ବିଡିଏସପି ମାନଙ୍କ ପଛରେ ୫୯ ଦିନର ସରକାରୀ ତାଲିମ ଓ ରାଜସ୍ୱ କାହିଁକି ଖର୍ଚ୍ଚ କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଡିପିଏମ୍ଙ୍କ ସ୍ପଷ୍ଟୀକରଣ:
ଏହି ସମଗ୍ର ବିବାଦ ଓ ଅଭିଯୋଗ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ପରିଚାଳକ (DPM) ସଞ୍ଜୟ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି, ସମସ୍ତ ଜିଲ୍ଲା ପାଇଁ ସରକାରୀ ନିର୍ଦ୍ଦେଶାବଳୀ ସମାନ ରହିଛି। ଯେଉଁ ବିଡିଏସପି (BDSP) ମାନେ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ କାର୍ଯ୍ୟ ନିମନ୍ତେ ଚୟନ କରାଯିବ। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଓ ଚିଠି ଖୁବ୍ଶୀଘ୍ର ସମସ୍ତ ବ୍ଲକକୁ ପଠାଇ ଅବଗତ କରାଯିବ। ଡିପିଏମ୍ଙ୍କ ଏହି ପ୍ରତିକ୍ରିୟା ପରେ ବିଡିଏସପି ମାନଙ୍କ ମଧ୍ୟରେ କାର୍ଯ୍ୟ ପୁନଃ ଆରମ୍ଭ ହେବାର ଆଶା ସଞ୍ଚାର ହୋଇଛି। ତେବେ ଜିଲ୍ଲାରେ ଶତାଧିକ ମହିଳା ଉଦ୍ୟୋଗୀ OSF ଋଣ ପାଇଁ ଅପେକ୍ଷା କରି ରହିଥିବାରୁ ବିଳମ୍ବ ନକରି ଯଥାଶୀଘ୍ର ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ବିଡିଏସପି ସଂଘ ଦାବି କରିଛି।

