ଜଙ୍ଗଲୀ ହାତୀ ପାଲଟିଲା ‘ପୋଷା’: ଜମନକିରା ଅଞ୍ଚଳରେ ୬ ମାସ ହେଲା ଘର ଘର ବୁଲି ଖାଉଛି ଖାଦ୍ୟ, ଜଙ୍ଗଲକୁ ଫେରିବାକୁ ନାହିଁ ଇଚ୍ଛା
ଜମନକିରା : ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ଜମନକିରା ବ୍ଲକ ଅଞ୍ଚଳରେ ଏକ ଦନ୍ତାହାତୀ ଗାଁ ଗାଁ ବୁଲୁଥିବା ବେଳେ ଲୋକଙ୍କ ସହ ତାର ଏକ ଅଦ୍ଭୁତ ଆତ୍ମୀୟତା ଗଢ଼ି ଉଠିଛି। ହାତୀକୁ ଦେଖି ଲୋକେ ଭୟଭୀତ ହେବା ପରିବର୍ତ୍ତେ ଶ୍ରଦ୍ଧାରେ ଖାଦ୍ୟପେୟ ଖୁଆଉଛନ୍ତି ଏବଂ ହାତୀଟି ମଧ୍ୟ ଶାନ୍ତ ସ୍ୱଭାବରେ ଯିଏ ଯାହା ଦେଉଛି ତାହା ଖୁସିରେ ଖାଇ ଆଗକୁ ବଢ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୬ ମାସ ପୂର୍ବେ ଏହି ଦନ୍ତାହାତୀଟି ଦେବଗଡ଼ ଜିଲ୍ଲା ବାରକୋଟ ଜଙ୍ଗଲରୁ ରାସ୍ତା ଦେଇ ଚାଲି ଚାଲି ଏହି ଅଞ୍ଚଳକୁ ଆସିଥିଲା। ବର୍ତ୍ତମାନ ଏହା ସିରିଡ ପଞ୍ଚାୟତ ତଥା ଏହାର ଆଖପାଖ ଗାଁଗୁଡ଼ିକରେ ଘର ଘର ବୁଲୁଛି। ଗ୍ରାମବାସୀଙ୍କ ସହ ଏଭଳି ମିଳିମିଶି ରହିବା ଯୋଗୁଁ ହାତୀଟିର ଆଉ ଜଙ୍ଗଲକୁ ଫେରିବାକୁ ଆଦୌ ଇଚ୍ଛା ନଥିବା ଜମନକିରା ବନ ବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଉଭୟ ଗ୍ରାମବାସୀ ଏବଂ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ କର୍ମଚାରୀମାନେ ସତର୍କ ରହିଛନ୍ତି। ହାତୀଟିର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ଓ ତାର ଦେଖାଶୁଣା କରିବା ପାଇଁ ବନ କର୍ମଚାରୀମାନେ ପ୍ରତିଦିନ ସିଫ୍ଟ ଡ୍ୟୁଟି କରି ତାର ପିଛା କରୁଛନ୍ତି। ବଣୁଆ ହାତୀର ଏଭଳି ଶାନ୍ତ ଓ ଘରୋଇ ଆଚରଣ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

