Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ରେଞ୍ଜରେ ମନରେଗା ଦୁର୍ନୀତି: କାମ ବନ୍ଦ, ସାମ୍ନାକୁ ଆସିଲା ଜାଲ ମାଷ୍ଟର ରୋଲ୍‌ରେ ଟଙ୍କା ହଡ଼ପ ଅଭିଯୋଗ ।

ବଲାଙ୍ଗୀର,୪।୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନାଞ୍ଚଳ (ରେଞ୍ଜ) ଅନ୍ତର୍ଗତ ଯଇଁତରା ନୂଆପଡ଼ା ସେଣ୍ଟ୍ରାଲ ନର୍ସରୀରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ସାମ୍ନାକୁ ଆସିଛି। ଚାରା ପ୍ରସ୍ତୁତି ଓ ଜଗାରଖା କାମ ମାସ ମାସ ଧରି ବନ୍ଦ ରହିଥିଲେ ହେଁ, କାଗଜପତ୍ରରେ ଜାଲ୍ ମାଷ୍ଟର ରୋଲ ପ୍ରସ୍ତୁତ କରି ପ୍ରକୃତ ଶ୍ରମିକଙ୍କ ବଦଳରେ ଅନୁପସ୍ଥିତ ଲୋକଙ୍କ ନାମରେ ଅର୍ଥ ଉଠାଣ କରାଯାଉଥିବା ସ୍ଥାନୀୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ନୂଆପଡ଼ା ସେଣ୍ଟ୍ରାଲ ନର୍ସରୀର ରକ୍ଷଣବେକ୍ଷଣ ଓ ଚାରା ରୋପଣ ପାଇଁ ସରକାରୀ ସୂଚନା ଫଳକ ଅନୁଯାୟୀ ₹୧୩,୨୯,୮୬୭ (ତେର ଲକ୍ଷ ଅଣତିରିଶ ହଜାର ଆଠ ଶହ ସତଷଠି) ଟଙ୍କାର ବଜେଟ ମଞ୍ଜୁର ହୋଇଥିଲା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ଥାନୀୟ ଗରୀବ ଓ ଦାଦନ ପ୍ରବଣ ଅଞ୍ଚଳର ଶ୍ରମିକମାନଙ୍କୁ ନିୟମିତ କାମ ଯୋଗାଇଦେବା। ମାତ୍ର ଗତ ଗ୍ରୀଷ୍ମ ଋତୁ (ଜୁନ୍ ୧୫) ପରଠାରୁ ନର୍ସରୀରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଜାଲ୍ ହାଜିରା ଓ ଟଙ୍କା ହଡ଼ପ:
ସ୍ଥାନୀୟ ଗ୍ରାମବାସୀ ଓ ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ଗତ ୫ ରୁ ୬ ମାସ ହେବ ସେମାନଙ୍କୁ କୌଣସି କାମ ମିଳିନାହିଁ। କିନ୍ତୁ ବିଭାଗୀୟ ସୂଚନା ଅନୁଯାୟୀ ସେପ୍ଟେମ୍ବର ମାସରେ ମଧ୍ୟ କାମ ଚାଲୁଥିବା ଦର୍ଶାଯାଇ ମାଷ୍ଟର ରୋଲ ଜାରି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ରହୁନଥିବା କିମ୍ବା କ୍ଷେତ୍ରରେ କାମ କରିନଥିବା ବ୍ୟକ୍ତିବିଶେଷଙ୍କ ନାମରେ ହାଜିରା ପକାଯାଇ ସରକାରୀ କୋଷାଗାରରୁ ଟଙ୍କା ଉଠାଯାଉଛି।
ଦାଦନ ପ୍ରବଣ ମୁରିବାହାଲ ବ୍ଲକରୁ ଗରୀବ ଶ୍ରମିକମାନେ ରୋଜଗାର ଆଶାରେ ନିରାଶ ହେଉଥିବା ବେଳେ, ବନ ବିଭାଗର କିଛି ଅଧିକାରୀ ଓ କର୍ମଚାରୀ ନିଜର ପ୍ରିୟାପ୍ରୀତି ତୋଷଣ କରି ସରକାରୀ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ହୋଇଛି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଯଇଁତରା ଫରେଷ୍ଟର କୀର୍ତ୍ତି ସୁଆର ଙ୍କୁ ପଚାରିବାରୁ ସେପରି କିଛି ହୋଇନାହିଁ,ଆପଣ ନିଜେ ଆସି ଦେଖନ୍ତୁ ବୋଲି କହିଛନ୍ତି । ସେହିପରି ଏନେଇ ମୁରିବାହାଲ ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ, ସେ କହିଛନ୍ତି ଯେ ମୁଁ ଏହି ରେଞ୍ଜର ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ମୋ ନାଁ ରେ ଡି ଏସ୍ ସି ହୋଇନାହିଁ । ଯାହା ହୋଇଥିବ ମୋ ପୂର୍ବରୁ ଯେଉଁ ରେଞ୍ଜର ଏବଂ ଫରେଷ୍ଟର ଥିଲେ ସେମାନଙ୍କ ସମୟରେ ପେମେଣ୍ଟ ହୋଇଥିବ ବୋଲି କହିବା ସହ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବ ଏବଂ ଯଦି ମାଷ୍ଟର ରୋଲରେ କୌଣସି ପ୍ରକାର ତ୍ରୁଟି କିମ୍ବା ବେଆଇନ କାର୍ଯ୍ୟ ହୋଇଥାଏ, ତେବେ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ଏନେଇ ବଲାଙ୍ଗୀର ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ଯଦି ସେପ୍ଟେମ୍ବର ମାସରେ ମଷ୍ଟର୍ ରୋଲ୍ ପ୍ରସ୍ତୁତ କରାଯାଇଛି ତାହେଲେ ସେହି କାମ କ୍ରମାଗତ ଭାବେ ଚାଲୁଥିବ ବା କଣ୍ଟିନ୍ୟୁ ଥିବ ବୋଲି କହିବା ସହ ଘଟଣାରେ ଅଭିଯୋଗକାରୀଙ୍କୁ କିଛି ବଦମାସୀ କରିଥିବ କହି ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ।
ତେବେ କେବଳ ସ୍ଥାନୀୟ ତଦନ୍ତରେ ସୀମିତ ନରଖି ଜିଲ୍ଲା ବନ ଅଧିକାରୀ (DFO) ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories