ସର୍ଟ ସର୍କିଟ୍ରୁ ଜଳିଗଲା ଟ୍ରକ୍: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ନାବାଳକ ପୁଅ ।
ବଲାଙ୍ଗୀର,୧୦।୧୦: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ତଥା ମୁରିବାହାଲ ବ୍ଲକ ଅନ୍ତର୍ଗତ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ସିରୋଲ ଏବଂ ବେଲପଦର୍ ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ୨:୩୦ ସମୟରେ ଏକ ଚଳନ୍ତା ଟ୍ରକ୍ ନମ୍ବର CG 06 GL 7281 ରେ ହଠାତ୍ ନିଆଁ ଲାଗିଯିବାରୁ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ ସମୟୋଚିତ ପଦକ୍ଷେପ ଯୋଗୁଁ ଟ୍ରକ୍ ଡ୍ରାଇଭର ଓ ତାଙ୍କ ଏକ ୧୫ ବର୍ଷୀୟ ନାବାଳକ ପୁଅ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍ଟି ଟିଟିଲାଗଡ଼ରୁ ସିମେଣ୍ଟ ଅନଲୋଡ୍ କରି ଖରିଆର ଅଭିମୁଖେ ଯାଉଥିବା ସମୟରେ ୫୯ ଜାତୀୟ ରାଜପଥ ସିରୋଲ୍ ନିକଟରେ ହଠାତ୍ ଗାଡ଼ିର ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା। ଗାଡ଼ିର ଡ୍ରାଇଭର ରାମ ପ୍ୟାରା ଛତ୍ରିଆ ଗାଡ଼ିଟିକୁ ରାସ୍ତାକଡ଼ରେ ରଖି ତଳକୁ ଓହ୍ଲାଇ ଯାଞ୍ଚ କରିଥିଲେ। ସେଏହି ସମୟରେ ଗାଡ଼ିର ୱାରିଂରେ ସର୍ଟ ସର୍କିଟ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିବା ସେ ଦେଖିବାକୁ ପାଇଥିଲେ।
ନିଆଁ ଲାଗିବାର ଦେଖି ଡ୍ରାଇଭର ରାମ ପ୍ୟାରା ଛତ୍ରିଆ ଏବଂ ଗାଡ଼ିରେ ଥିବା ତାଙ୍କ ନାବାଳକ ପୁଅ ତୁରନ୍ତ ତଳକୁ ଓହ୍ଲାଇ ପଡ଼ିଥିଲେ। ମୁହୂର୍ତ୍ତକ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପିଯାଇ ଟ୍ରକ୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।
ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ। ତଥାପି ଅଗ୍ନିକାଣ୍ଡରେ ଟ୍ରକ୍ଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷିତ ଭାବେ ବାପ-ପୁଅ ପ୍ରାଣରକ୍ଷା ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱାସନା ପ୍ରକାଶ ପାଇଛି।

