କେସାଇବାହାଲ ହାଇସ୍କୁଲରେ ପରିବେଶ ସଚେତନତା ଶିବିର ଅନୁଷ୍ଠିତ: ମାନବ-ବନ୍ୟଜନ୍ତୁ ସଂଘର୍ଷ ରୋକିବାକୁ ବନ ସୁରକ୍ଷା ଅପରିହାର୍ଯ୍ୟ
ଜମନକିରା : ସ୍ଥାନୀୟ ବାମରା ବ୍ଲକ୍ ଅନ୍ତର୍ଗତ କେସାଇବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃହତ ପରିବେଶ ସଚେତନତା ଶିବିର ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁକ୍ମିଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପ୍ରକୃତି, ପରିବେଶ ଏବଂ ଜୈବବିବିଧତା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ସଚେତନତା ଶିବିରରେ ବିଶିଷ୍ଟ ପରିବେଶବିତ୍ ସୁବାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକୃତିର ସନ୍ତୁଳନ ରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରକୃତି ବନ୍ଧୁ ରବୀନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ତୀବ୍ର ହେଉଥିବା ହାତୀ-ମଣିଷ ଲଢ଼େଇ ତଥା ସଂଘର୍ଷର ସ୍ଥାୟୀ ସମାଧାନ ପାଇଁ ବନ ସୁରକ୍ଷା ଓ ଜଙ୍ଗଲର ଅଭିବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ। ଅରଣ୍ୟ ସୁରକ୍ଷିତ ରହିଲେ ହିଁ ମାନବ ସମାଜ ସୁରକ୍ଷିତ ରହିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ବ୍ୟକ୍ତିତ୍ୱ ଅଲେଖ ପତି, ତୁଳସୀ ମଞ୍ଜରୀ ବହିଦାର ଏବଂ ଦେବାଶିଷ ବୁଡ଼ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଅଭିଯାନରେ ସକ୍ରିୟ ଭାଗିଦାର ହେବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନା ତଥା ସଂଯୋଜନାରେ ଡଲି ସେଠ୍, ବିଉଟି ମାଝୀ, ନିରୁପମା ପ୍ରଧାନ, ସମସେଜ୍ ବେଗମ, ଯଜ୍ଞସେନୀ ସାହୁ ଏବଂ ବନିତା ପ୍ରଧାନ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରି ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ଲାଗି ସଂକଳ୍ପ ନେଇଥିଲେ।

