ପାଟଣାଗଡ଼ରେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ବାଇକ୍ ଲୁଟ୍ ଘଟଣା: ୪ ଗିରଫ, କୋର୍ଟ ଚାଲାଣ ।
ବଲାଙ୍ଗୀର,୧୦।୧୦: ପାଟଣାଗଡ଼ ଥାନା ଅନ୍ତର୍ଗତ ବନେଇମୁଣ୍ଡା ନିକଟରେ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ନଗଦ ଟଙ୍କା ଏବଂ ମୋଟରସାଇକେଲ ଲୁଟ୍ କରିଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାମତେ ଗତ ସେପ୍ଟେମ୍ବର ୧୦ ତାରିଖ ଭୋର ସକାଳୁ ଅନାଦି ରଣା ନାମକ ଜଣେ ବ୍ୟବସାୟୀ ନିଜ ବ୍ୟବସାୟିକ କାର୍ଯ୍ୟ ପାଇଁ ପାଟଣାଗଡ଼ ଆସୁଥିଲେ। ସେହି, ସମୟରେ କିଛି ଦୁର୍ବୃତ୍ତ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଅାଟକାଇଥିଲେ ଏବଂ ମାରଣାସ୍ତ୍ରର ଭୟ ଦେଖାଇ ତାଙ୍କଠାରୁ ନଗଦ ଟଙ୍କା ସମେତ ମୋଟରସାଇକେଲଟିକୁ ଲୁଟ୍ କରି ସେଠାରୁ ଫେରାର୍ ହୋଇଯାଇଥିଲେ।
ଏନେଇ ଲୁଟ୍ ର ଶିକାର ହୋଇଥିବା ବ୍ୟବସାୟୀ ଅନାଦି ରଣା ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ବଲାଙ୍ଗୀର ଏସ୍.ପି. ଅଭିଳାଷ ଜିଙ୍କ ନିର୍ଦ୍ଦେଶ ଏବଂ ପାଟଣାଗଡ଼ ଏସ୍.ଡ଼ି.ପି.ଓ. ସଦାନନ୍ଦ ପୂଜାହାରୀଙ୍କ ତତ୍ତ୍ୱାବଧାନରେ ପୋଲିସ ଏକତ୍ରିତ ଭାବେ ତଦନ୍ତ ପ୍ରକ୍ରିୟା ତୀବ୍ର କରିଥିଲା।
ତଦନ୍ତରୁ ମିଳିଥିବା ସୂଚନା ଏବଂ ପ୍ରମାଣକୁ ଆଧାର କରି ପାଟଣାଗଡ଼ ପୋଲିସ ଏହି ଲୁଟ୍ ଘଟଣାରେ ଜଡ଼ିତ ୪ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।

