ସଡ଼କ ଦୁର୍ଘଟଣା: ସ୍କୁଟି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି ।
ବଲାଙ୍ଗୀର,୧୧।୧୦: ବଲାଙ୍ଗୀର ଜିଲ୍ଲା ବୀଜାଖମନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟି ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତକ ଜଣକ ହେଉଛନ୍ତି ସିନଖମନ ଗ୍ରାମର ରାମଚନ୍ଦ୍ର ବଗର୍ତ୍ତୀ। ସେ ନିକଟସ୍ଥ ଏକ ଫାର୍ମ ହାଉସରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ସକାଳେ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଦ୍ରୁତଗତି ସ୍କୁଟି ତାଙ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ସ୍କୁଟି ଚାଳକ ଜଣକ ମଦ୍ୟପାନ କରି ଅସାବଧାନତା ଭାବେ ଗାଡ଼ି ଚଲାଉଥିବାରୁ ଏଭଳି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ମୃତକଙ୍କ ପରିବାର ପାଇଁ ଉପଯୁକ୍ତ କ୍ଷତିପୂରଣ ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

