Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ବନ୍ୟପ୍ରାଣୀ ବନଖଣ୍ଡ ସ୍ତରୀୟ ‘ଗଜସାଥୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜମନକିରା : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଆନୁକୂଲ୍ୟରେ ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଭୋଜପୁର କାର୍ଯ୍ୟାଳୟ ପରିସରରେ ଏକ ବନଖଣ୍ଡ ସ୍ତରୀୟ ଏକଦିବସୀୟ ‘ଗଜସାଥୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାମରା ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫ୍ ଆଲୋକ କୁମାର ଷଡ଼ଙ୍ଗୀ, ଏସିଏଫ୍ ରୋଶମା ଲାକ୍ରା, ଭୋଜପୁର ବନ୍ୟପ୍ରାଣୀ ରେଞ୍ଜର ଲେଖାରାଣୀ ମହାନନ୍ଦ, ବାମରା ରେଞ୍ଜର ଦୀପକ ମହାନନ୍ଦ, ବଡରମା ରେଞ୍ଜର ଗିରିଧାରୀ ପ୍ରଧାନ ଓ ବାଇଓଲଜିଷ୍ଟ ଶିଭମ୍ ଦାସ, ଜମନକିରା ବିଦ୍ୟୁତ୍ ସେକ୍ସନ ଅଧିକାରୀ ଜିଗ୍ନେଶ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସମ୍ପ୍ରତି ଜଙ୍ଗଲ କ୍ଷୟ, ଜଳାଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁଁ ବନ୍ୟହସ୍ତୀମାନେ ନିଜ ପ୍ରାକୃତିକ ପରିବେଶ ଛାଡ଼ି ଜନବସତି ଓ ଚାଷଜମି ମୁହାଁ ହେଉଥିବାରୁ ହାତୀ-ମଣିଷ ସଂଘର୍ଷ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି, ଯାହା ଫଳରେ ଧନଜୀବନ, ଫସଲ ହାନି ସହ ଅସହାୟ ଗଜରାଜଙ୍କ ଜୀବନ ମଧ୍ୟ ବିପନ୍ନ ହେଉଛି। ଏପରି ସଙ୍କଟଜନକ ସମୟରେ ବନ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ‘ଗଜସାଥୀ’ମାନଙ୍କର ଭୂମିକା, କର୍ତ୍ତବ୍ୟ ଓ ଦାୟିତ୍ୱ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ହାତୀପଲ ତଥା ଦନ୍ତା ହାତୀଙ୍କ ଦୈନନ୍ଦିନ ଗତିବିଧି, ସେମାନଙ୍କ ପାରମ୍ପରିକ ଚଲାପଥ (କରିଡର) ଏବଂ ଜଙ୍ଗଲ ସୀମାନ୍ତରେ ସେମାନଙ୍କ ଅବସ୍ଥିତି ଉପରେ ଚବିଶ ଘଣ୍ଟିଆ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଗାଁ ଅଭିମୁଖେ ଆସିବା ମାତ୍ରେ ଡାକବାଜି ଯନ୍ତ୍ର, ସାଇରନ୍ କିମ୍ବା ଫୋନ୍ ବାର୍ତ୍ତା ଯୋଗେ ଗ୍ରାମବାସୀଙ୍କୁ ସତର୍କ କରାଇ ଧନଜୀବନ ରକ୍ଷା କରିବା ଗଜସାଥୀଙ୍କ ମୁଖ୍ୟ ଦାୟିତ୍ୱ ଅଟେ। ଏଥିସହ ବନ କର୍ମଚାରୀଙ୍କ ସହ ସହଯୋଗ କରି ହାତୀମାନଙ୍କୁ କୌଣସି ଶାରୀରିକ ଆଘାତ ନ ପହଞ୍ଚାଇ ପାରମ୍ପରିକ ଓ ନିରାପଦ କୌଶଳରେ ପୁନର୍ବାର ଗଭୀର ଜଙ୍ଗଲକୁ ଘଉଡ଼ାଇବା, ଫସଲ ସୁରକ୍ଷା ନାଁରେ କିମ୍ବା ଶିକାର ଉଦ୍ଦେଶ୍ୟରେ ଅସାଧୁ ଲୋକଙ୍କ ଦ୍ୱାରା ବିଛାଯାଉଥିବା ମାରାତ୍ମକ ବେଆଇନ ବିଦ୍ୟୁତ୍ ତାର ଫାନ୍ଦ ଉପରେ କଡ଼ା ପହରା ଦେଇ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିଲା। ହାତୀ ଦେଖି ଲୋକେ ଯେପରି ଭୟଭୀତ ନ ହୁଅନ୍ତି, ଟେକା ପଥର ନ ମାରି ଉତ୍ତେଜିତ ନ କରନ୍ତି ଏବଂ ବିପଜ୍ଜନକ ଭାବେ ନିକଟକୁ ଯାଇ ସେଲ୍ଫି ନ ଉଠାନ୍ତି, ସେଥିପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଜଙ୍ଗଲ ଓ ହାତୀଙ୍କ ସୁରକ୍ଷା ହିଁ ନିଜ ଭବିଷ୍ୟତର ସୁରକ୍ଷା ବୋଲି ଲୋକଙ୍କୁ ବୁଝାଇବା ମଧ୍ୟ ଗଜସାଥୀଙ୍କ ପ୍ରମୁଖ କର୍ତ୍ତବ୍ୟ ଭାବେ ନିର୍ଦ୍ଧାରଣ କରାଯାଇଛି। ଶେଷରେ ପ୍ରଶିକ୍ଷଣରେ ଭାଗ ନେଇଥିବା ସମସ୍ତ ଗଜସାଥୀଙ୍କୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୋଷାକ ଓ ସୁରକ୍ଷା ଉପକରଣ ପ୍ରଦାନ କରାଯିବା ସହ ସେମାନଙ୍କ ନିଃସ୍ୱାର୍ଥପର ସେବା ଓ ତ୍ୟାଗକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଶେଷରେ ଜମନକିରା ରେଞ୍ଜର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିଏସଏସ ର କର୍ମକର୍ତ୍ତା, ସ୍ଵେଚ୍ଛା ସେବୀ, ସରପଞ୍ଚ, ଅଞ୍ଚଳର ଜନସାଧାରଣଙ୍କ ଓ ବନ ବିଭାଗ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories