Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ମୁରିବାହାଲ ରେଞ୍ଜରେ ପୁଣି ଏକ ମାଈ ହାତୀ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ।

ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ବନଖଣ୍ଡ ଅଧୀନସ୍ଥ ମୁରିବାହାଲ ରେଞ୍ଜ ଅଞ୍ଚଳରେ ବଣୁଆଁ ହାତୀଙ୍କ ପାଇଁ ଚାଷ କୂଅ ଗୁଡ଼ିକ ମରଣଯନ୍ତା ପାଲଟିଛି। ଗତ ୨ ବର୍ଷ ଧରି ଲଗାତାର ଭାବେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ ବାରମ୍ବାର କୂଅରେ ପଡ଼ିବାର ଅଭିନବ ଘଟଣା ସାମ୍ନାକୁ ଆସୁଛି। ଏହାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଆଜି ଯଇଁତରା ସେକ୍ସନରେ । ଆଜି ସକାଳୁ ପୁଣିଥରେ ଏକ ମାଈ ହାତୀ ଚଳକୀର ଚାଷୀ ନାଇଁ ପ୍ରଧାନୀଙ୍କ ଚାଷ ଜମିରେ ଥିବା କୂଅରେ ପଡ଼ିଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ନେତୃତ୍ୱରେ ଯଇଁତରା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର, ଜୀନାସିଶ ସ, ଗୁଡିଘାଟ ଫରେଷ୍ଟର ଦିବସ ମାଝୀ, ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନ ଏବଂ ମୁରିବାହାଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ବଲାଙ୍ଗୀର ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ର‍୍ୟାମ୍ପ୍ ପ୍ରସ୍ତୁତ କରାଯାଇ ଏହି ମାଈ ହାତୀଟିକୁ ମଧ୍ୟ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଛି।
ପ୍ରକାଶ ଥାଉକି, ଗତ ୨ ବର୍ଷ ହେବ ମୁରିବାହାଲ ରେଞ୍ଜ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଏବଂ ଅସୁରକ୍ଷିତ କୂଅ ଯୋଗୁଁ ନିରନ୍ତର ବିପଦ ସୃଷ୍ଟି ହୋଇଛି। ଗତ ୧୪ ଅଗଷ୍ଟ ୨୦୨୬ ରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧୀନସ୍ଥ ବେଲପଡ଼ା ଥାନା ସୁଲେକେଲା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ରାଜୀନ୍ଦ୍ର ପୁଟେଲଙ୍କ ବାଡ଼ି ପଛପଟେ ଥିବା ଏକ ଚାଷ କୂଅ ନିକଟରେ ବିଳମ୍ବିତ ରାତି ପ୍ରାୟ ୧୧ଟାରୁ ୧୧:୩୦ ମଧ୍ୟରେ ଖାଦ୍ୟ ଖୋଜୁଥିବା ବେଳେ ମା’ ଓ ଛୁଆ ହାତୀ ହଠାତ୍ କୂଅ ଭିତରକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଗ୍ରାମବାସୀ ଏହା ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ମୁରିବାହାଲ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିପୁଳ ପ୍ରସ୍ତୁତି ସହ ଉଦ୍ଧାର କରିଥିଲେ।
ଏହା ପୂର୍ବରୁ ଅଭିନବ ଭାବେ ଗତ ୧୩ ନଭେମ୍ବର ୨୦୨୫ ରେ ବିଜାମାଲ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଛୁଆ ପଡ଼ିଯାଇଥିବା ବେଳେ, ତା’ର ପରଦିନ ଅର୍ଥାତ୍ ୧୫ ନଭେମ୍ବର ୨୦୨୫ ରେ ଗୁଡ଼ିଘାଟ୍ ପଞ୍ଚାୟତର ଲତାସହଡା ସଂରକ୍ଷିତ ଜଙ୍ଗଲର ଅନ୍ୟ ଏକ ପରିତ୍ୟକ୍ତ କୂଅରୁ ଆଉ ଗୋଟିଏ ବଣୁଆ ହାତୀକୁ ଉଦ୍ଧାର କରାଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳରେ ଥିବା ପରିତ୍ୟକ୍ତ ଓ ଅସୁରକ୍ଷିତ କୂଅଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories