କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ: ଆଶ୍ରମପଡ଼ାରେ ସ୍କୁଲ ନିକଟରେ ଭାଲୁ ଚଳପ୍ରଚଳ, ଲାଉଡ୍ସ୍ପିକର ଯୋଗେ ସତର୍କ କଲା ବନ ବିଭାଗ ।
ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ଏକ ବଡ଼ ସତର୍କତାମୂଳକ ଖବର ସାମ୍ନାକୁ ଆସିଛି। ସହରର ଆଶ୍ରମପଡ଼ା (ୱାର୍ଡ ନଂ ୧୪) ଅଞ୍ଚଳରେ ଭାଲୁର ମୁକ୍ତ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚିନ୍ତା ବଢ଼ିବାରେ ଲାଗିଛି।
ଆଜି ଭୋର୍ ସମୟରେ ସ୍ଥାନୀୟ ଜେଏମ୍ଜେ ଇଂଲିଶ ମିଡିୟମ୍ ସ୍କୁଲ ନିକଟରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା। ସ୍କୁଲ ଓ ଜନବହୁଳ ଅଞ୍ଚଳରେ ଭାଲୁ ପ୍ରବେଶ କରିଥିବାରୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ତତ୍ପରତା ପ୍ରକାଶ କରିଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଲାଉଡ୍ସ୍ପିକର ଯୋଗେ ସତର୍କତାମୂଳକ ଘୋଷଣା କରାଯାଇଛି।
ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ଏହି ରାସ୍ତାରେ ଯାତାୟାତ ସମୟରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ସ୍କୁଲ ପରିସର ନିକଟରେ ଭାଲୁ ଦେଖାଯାଇଥିବାରୁ ପିଲାମାନଙ୍କ ଅଭିଭାବକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଏହି ସମ୍ବେଦନଶୀଳ ପରିସ୍ଥିତିକୁ ନେଇ କଣ୍ଟାବାଞ୍ଜି ଫରେଷ୍ଟର ଘନଶ୍ୟାମ ପସାୟତ ସୂଚନା ଦେଇ କହିଛନ୍ତି ଯେ, ପିଲାମାନଙ୍କ ସ୍କୁଲ ଯିବାଆସିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। କୌଣସି ପରିସ୍ଥିତିରେ ମଧ୍ୟ ଭାଲୁ ନିକଟକୁ ନଯିବା, ତାକୁ ଘେରି ନଧରିବା ଏବଂ ବନ୍ୟଜନ୍ତୁଟିକୁ ଦେଖିବା ମାତ୍ରେ ତୁରନ୍ତ ବନ ବିଭାଗକୁ ଖବର ଦେବା ପାଇଁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।
ବର୍ତ୍ତମାନର ସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ନିରାପଦ ଯାତାୟାତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ, ବନ୍ୟଜନ୍ତୁଙ୍କ ଏଭଳି ଚଳପ୍ରଚଳ ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ଏବଂ ଲୋକଙ୍କୁ ସଚେତନ ରହିବାକୁ କୁହାଯାଇଛି।

