Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ତହସିଲ କାର୍ଯ୍ୟାଳୟରେ ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ଅନୁଷ୍ଠିତନିୟମ ଅନୁପାଳନ ପାଇଁ ପୂଜା କମିଟି ଗୁଡ଼ିକୁ ପ୍ରଶାସନର ନିର୍ଦ୍ଦେଶ

ଜମନକିରା : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା, ଆନନ୍ଦ ଉଲ୍ଲାସ ଓ ଭାଇଚାରା ମଧ୍ୟରେ ସମ୍ପନ୍ନ କରିବା ଲକ୍ଷ୍ୟରେ ମଙ୍ଗଳବାର ଜମନକିରା ତହସିଲ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ତଥା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥାନା ଅଧିକାରୀ ରଞ୍ଜନ ନାଗ, ଅତିରିକ୍ତ ତହସିଲଦାର ସୌରଭ ସାହୁ, ଏବିଡିଓ ମହିମା ସାହୁ ଏବଂ ଅଗ୍ନିଶମ ଅଧିକାରୀ ବିଜୟ କିଷାନ ପ୍ରମୁଖ ଉପସ୍ଥିତ ରହି ବୈଠକ କାର୍ଯ୍ୟ ପରିଚାଳନା କରିଥିଲେ।
ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ତଥା ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହ ପ୍ରଶାସନ ସହ ସହଯୋଗ କରିବାକୁ ସମସ୍ତ ପୂଜା କମିଟି ଗୁଡ଼ିକୁ ଅଧିକାରୀମାନେ ଅନୁରୋଧ କରିଥିଲେ। ଡିଜେ ବଜାଇବା ଉପରେ କଟକଣା, ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଏବଂ ଭସାଣି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ସାରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ବୈଠକରେ ଜମନକିରା, ଫାସିମାଲ, ମୁଣ୍ଡେନପାଲି ଏବଂ ବଡ଼ରମା ମା’ ବନଦୁର୍ଗା ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ପ୍ରେସ ୟୁନିଅନର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ସମସ୍ୟା ଓ ମତାମତ ଉପସ୍ଥାପନ କରିଥିଲେ। ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷର ଦୁର୍ଗାପୂଜାକୁ ସୁରୁଖୁରୁରେ ପରିଚାଳନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories