Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Parliament Special Session: ମହିଳା ସଂରକ୍ଷଣ ଓ ପରିସୀମା ନିର୍ଦ୍ଧାରଣ ବିଲ୍‌ ଉପରେ ସରକାରଙ୍କ ବଡ଼ ପ୍ରସ୍ତୁତି, ଅକ୍ଟୋବରରେ ବସିପାରେ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁସାରେ, ଚଳିତ ଅକ୍ଟୋବର ମାସରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କେନ୍ଦ୍ର ସରକାର ବିଚାର କରୁଥିବା କୁହାଯାଉଛି। ଏହି ଅଧିବେଶନରେ ପରିସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବା ଏବଂ ପାରିତ କରାଇବା ଉପରେ ଗୁରୁତ୍ୱ ଦିଆଯାଇପାରେ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ।

ସରକାରୀ ସୂତ୍ରର ଦାବି ଅନୁସାରେ, ଏହି ବିଲ୍‌ଗୁଡ଼ିକୁ ପାରିତ କରାଇବା ପାଇଁ ଆବଶ୍ୟକ ସମର୍ଥନ ଯୋଗାଡ଼ କରିବା ନେଇ ଆଲୋଚନା ଚାଲିଛି। କେବଳ ସହଯୋଗୀ ଦଳ ନୁହେଁ, ବିରୋଧୀ ଶିବିରର କିଛି ଛୋଟ ଦଳ ସହ ମଧ୍ୟ ସମ୍ପର୍କ କରାଯାଉଥିବା ସୂଚନା ମିଳିଛି। ପରିସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗରେ ରାଜନୈତିକ ସହମତି ସୃଷ୍ଟି କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହାସହ ସଂସଦର ମୌସୁମୀ ଅଧିବେଶନର ଔପଚାରିକ ସତ୍ରାବସାନ ହୋଇନଥିବା କଥାକୁ ମଧ୍ୟ ସମ୍ଭାବ୍ୟ ସ୍ୱତନ୍ତ୍ର ଅଧିବେଶନ ସହ ଯୋଡ଼ି ଦେଖାଯାଉଛି।

ସୂତ୍ର ଅନୁସାରେ, ଅକ୍ଟୋବର ୨୬ ଓ ୨୭ ତାରିଖରେ ସଂବିଧାନ ସଦନରେ ହେବାକୁ ଥିବା ୧୨ତମ BRICS ସଂସଦୀୟ ଫୋରମ୍‌କୁ ଧ୍ୟାନରେ ରଖି ଅଧିବେଶନର ତାରିଖ ସ୍ଥିର କରାଯାଇପାରେ। ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ସୂଚୀ ଅନୁଯାୟୀ ସଂସଦର କ୍ୟାଲେଣ୍ଡର ଚୂଡ଼ାନ୍ତ ହୋଇପାରେ। ଯଦି ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିଷ୍ପତ୍ତି ହୁଏ, ତେବେ ସାଂସଦମାନଙ୍କୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ନୋଟିସ୍‌ ଦିଆଯାଇପାରେ। ତେବେ ଅଧିବେଶନର ତାରିଖ ଓ ବିଲ୍‌ଗୁଡ଼ିକର ଚୂଡ଼ାନ୍ତ ସୂଚୀ ସମ୍ପର୍କରେ ଆଧିକାରିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories