Greater Noida Student Death: ଅଭିନେତା ହେବାକୁ ଚାହୁଁଥିଲେ ଆଦିତ୍ୟ, ୧୮ ବର୍ଷୀୟ BBA ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ପ୍ରିଷ୍ଟିନ୍ ଆଭେନ୍ୟୁ ସୋସାଇଟିରେ ଜଣେ ୧୮ ବର୍ଷୀୟ BBA ଛାତ୍ର ଆଦିତ୍ୟ ଆରୋରାଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଭୋର ପ୍ରାୟ ୪ଟାରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଆଦିତ୍ୟ ନିଜ ପରିବାର ସହ ସୋସାଇଟିର ଟାୱାର୍ Aରେ ରହୁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଆଦିତ୍ୟ ଗାଜିଆବାଦର ଏକ ଘରୋଇ କଲେଜରେ BBA ପ୍ରଥମ ବର୍ଷରେ ପଢ଼ୁଥିଲେ। ସେ ଅଭିନେତା ହେବାକୁ ଚାହୁଁଥିଲେ, କିନ୍ତୁ ପରିବାରର ଇଚ୍ଛା ଅନୁସାରେ BBA ପାଠ୍ୟକ୍ରମରେ ନାମ ଲେଖାଇଥିବା ସୂଚନା ମିଳିଛି। ଗତ କିଛି ଦିନ ହେବ ସେ କୌଣସି କାରଣରୁ ଚିନ୍ତାରେ ରହୁଥିବା ପରିବାର ସଦସ୍ୟ ପୋଲିସକୁ କହିଛନ୍ତି। ତେବେ ପାଠପଢ଼ା କିମ୍ବା ଅଭିନୟ ପ୍ରତି ତାଙ୍କ ଆଗ୍ରହ ଏହି ଘଟଣା ସହ ଜଡ଼ିତ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଟାଉନ୍ ଇନ୍ଚାର୍ଜ ରଣଜିତ ସିଂହଙ୍କ କହିବା ଅନୁସାରେ, ଘଟଣାସ୍ଥଳରୁ କୌଣସି ଚିଠି ମିଳିନାହିଁ। ଆଦିତ୍ୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତାଙ୍କ ପରିବାରରେ ବାପା, ମାଆ ଓ ସାନ ଭାଇ ଅଛନ୍ତି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଆଗକୁ ତଦନ୍ତ ଜାରି ରଖିଛି।

