ଦିନ ଦ୍ୱିପ୍ରହରରେ ବଲାଙ୍ଗୀରରେ ବଡ଼ଧରଣର ଲୁଟ୍: ସୋଲାର ଲଗାଇବା ବାହାନାରେ ଘରେ ପଶି ୧୩ ଭରି ସୁନା ଓ ୧୨ ଭରି ରୁପା ଲୁଟିଲେ ଦୁର୍ବୃତ୍ତ ।
ବଲାଙ୍ଗୀର,୩୦।୧୦: ବଲାଙ୍ଗୀର ସହରର ଧୂମାମରା ଅନ୍ତର୍ଗତ ସୀତାରାମ ନଗର ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଚୋରି ଘଟଣା ସାମ୍ନାକୁ ଆସିଛି। ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପ୍ରବେଶ କରି ଦୁର୍ବୃତ୍ତମାନେ ବନ୍ଧୁକ କିମ୍ବା ଭୟ ଦେଖାଇ ନୁହେଁ, ବରଂ ଅତ୍ୟନ୍ତ ଚତୁରତାର ସହ ଘରର ମାଲିକାଣୀଙ୍କୁ କାବୁ କରି ପ୍ରାୟ ୧୩ ଭରି ସୁନା, ୧୨ ଭରି ରୁପା ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ସମୟରେ ୩ ଜଣ ଦୁର୍ବୃତ୍ତ ସୋଲାର ଲଗାଇବା କାମ ପାଇଁ କହି ଅନନ୍ତ କୁମାର ମିଶ୍ରଙ୍କ ଘରେ ପ୍ରବେଶ କରିଥିଲେ। ଘର ଭିତରେ ଥିବା ମାଲିକାଣୀଙ୍କୁ ଏକାନ୍ତରେ ପାଇ ଦୁର୍ବୃତ୍ତମାନେ ତାଙ୍କୁ ଧସ୍ତାଧସ୍ତି କରିବା ସହ ଜୋରଜବରଦସ୍ତି ପାଇଖାନା ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ ସେମାନେ ଆଲମାରୀ ଭାଙ୍ଗି ସେଥିରେ ଥିବା ପ୍ରାୟ ୧୩ ଭରି ସୁନା, ୧୨ ଭରି ରୁପା ଏବଂ ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ।
ସବୁଠାରୁ ବଡ଼ କଥା ହେଲା, ଲୁଟ୍ ସମୟରେ ପାଖାପାଖି ରହୁଥିବା ଲୋକେ କିଛି ସନ୍ଦେହ ନ କରିବା ପାଇଁ ଦୁର୍ବୃତ୍ତମାନେ ଘରର ଟିଭି ଭଲ୍ୟୁମ୍ ବହୁତ ଜୋର୍ କରି ଦେଇଥିଲେ। ଫଳରେ ପଡ଼ୋଶୀମାନେ ଘର ଭିତରେ ଚାଲିଥିବା ଏହି ଅଘଟଣ ସମ୍ପର୍କରେ କିଛି ମଧ୍ୟ ଜାଣିପାରି ନଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି। ତେବେ ଘରଟି ସହର ଉପକଣ୍ଠ ଜଙ୍ଗଲ ଓ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ ଥିବାରୁ ଏବଂ ଆଖପାଖରେ କୌଣସି ସିସିଟିଭି (CCTV) କ୍ୟାମେରା ନଥିବାରୁ ପୋଲିସ ପାଇଁ ଅପରାଧୀମାନଙ୍କୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ କୋକୁଆ ଭୟ ଏବଂ ଚିନ୍ତା ପ୍ରକାଶ ପାଇଥିବା ବେଳେ, ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଆଶା କରାଯାଉଛି।

