Bay of Bengal Weather Alert: ଆସୁଛି ଆଉ ଏକ ବାତ୍ୟା , ନଭେମ୍ବର ୨ ସୁଦ୍ଧା ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କମିବା ପରେ ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀକୁ ନେଇ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ (IMD)। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅକ୍ଟୋବର ୩୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ଆକଳନ କରାଯାଇଛି।
IMDର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଏହି ପ୍ରଣାଳୀ ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବାବେଳେ ଅବପାତ ହେବାର ଆଶଙ୍କା ଅଧିକ। ତେବେ ଏହା ଆଗକୁ କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗରେ ଗତି କରିବ, ତାହା ଉପରେ ନଜର ରଖାଯାଇଛି। ଆକଳନ ଅନୁସାରେ, ନଭେମ୍ବର ୨ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ଏହି ସମୟରେ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ନଭେମ୍ବର ୨ ଓ ୩ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟାନାମର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି IMD ଆକଳନ କରିଛି। ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ନଭେମ୍ବର ୨ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଏହାକୁ ଏବେଠାରୁ ନିଶ୍ଚିତ ବାତ୍ୟା ବୋଲି କହିବା ଠିକ୍ ହେବ ନାହିଁ। ପ୍ରଣାଳୀର ଗତିପଥ ଓ ତୀବ୍ରତା ନେଇ ପରବର୍ତ୍ତୀ IMD ବୁଲେଟିନ୍ରେ ଅଧିକ ସ୍ପଷ୍ଟତା ମିଳିବ।

