ବୁଢ଼ାରଜା ଦଶରା,ସାଂସ୍କୃତିକ ସନ୍ଧ୍ୟାରେ ଦୁଲୁକିଲା ବୁଢ଼ାରଜା ମଞ୍ଚ,ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର।
କଳାହାଣ୍ଡି,୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ମହୋତ୍ସବ ଶନିବାର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବୁଢ଼ାରଜା ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶରା କମିଟି ର ସଭାପତି ଋତୁରାଜ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ବୁଢ଼ାରଜା ମନ୍ଦିର ର ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣ ରେ ପୂର୍ବ ସରକାର ଅନେକ ପଦକ୍ଷେପ ନେଇଥିଲେ ଓ ବୁଢ଼ାରଜା ଙ୍କ ନୂତନ ବିଗ୍ରହ ସ୍ଥାପନ ପାଇଁ ମତ ପ୍ରକାଶ କରିଥିଲେ।ମୁଖ୍ୟଵକ୍ତା ଭାବେ ମା ମାଣିକେଶ୍ୱରୀ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗଦେଇ ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ କିମ୍ବଦନ୍ତୀ ସହ ଜଡିତ କଳାହାଣ୍ଡି ଜିଲ୍ଲାର ଦେବାଦେବୀ ପରମ୍ପରା ଉପରେ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଉତ୍କଳ ଆଲୁମିନା (ସିଏସଆର) ମୁଖ୍ୟ ମନୋଜ ଦାସ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ,ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ ମଞ୍ଚ ରେ ରହି ବୁଢ଼ାରଜା ଦଶରା ନେଇ ନିଜର ଅନୁଭୂତି ଓ ମତ ପ୍ରକାଶ କରିଥିଲେ। ଏହି ଅବସରରେ କଳାହାଣ୍ଡି,ନବରଙ୍ଗପୁର ଲୋକକଳା,ନାଟ,ଘୁମୁରା କଳା ଓ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଟ ଘୁମୁରା ଗୁରୁ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ବୁଢ଼ାରଜା କମିଟିର ଜିତେନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସନ୍ତୋଷ କୁମାର ମାଝୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ବୁଢ଼ାରଜା ସାଂସ୍କୃତିକ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚ ଉପସ୍ଥାପକ ସୁଧୀର କୁମାର ଧଙ୍ଗଡା ମାଝୀ ଓ ଭୁବନେଶ୍ୱର ଦିଶାରୀ ସୁନ୍ଦର ଶବ୍ଦ ଅଳଙ୍କାର ସହ ଉପସ୍ଥାପନା କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବୁଢ଼ାରଜା ମଞ୍ଚ ଦୁଲୁକି ଉଠିଥିଲା। ଏହାପରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଆମପାଣି ଗ୍ରାମବାସୀ ମାନେ ଦଶରା ମହୋତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।

