Ayodhya Ram Mandir Donation Theft Case: ଦାନ ଟଙ୍କା ହେରଫେର ମାମଲାରେ SCରେ ଶୁଣାଣି ଶେଷ, ତଦନ୍ତ ପରେ ଚାର୍ଜସିଟ୍ ଦାଖଲ
ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଟଙ୍କା ଚୋରି ଓ ହେରଫେର ଅଭିଯୋଗ ସହ ଜଡ଼ିତ ଆବେଦନଗୁଡ଼ିକର ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଯାଇଥିଲା ଯେ, ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇସାରିଛି। ଏହାପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ପୃକ୍ତ ମାଜିଷ୍ଟ୍ରେଟ୍ଙ୍କୁ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ଏହାସହ ଆବେଦନକାରୀମାନଙ୍କୁ ନିମ୍ନ ଅଦାଲତରେ ମାମଲାରେ ସହଯୋଗ କରିବାକୁ ଅନୁମତି ଦେଇଛନ୍ତି।
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ ଯେ, ଉତ୍ତରପ୍ରଦେଶ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ଗଭୀର ତଦନ୍ତ କରିଛି। ମନ୍ଦିରରେ ଭକ୍ତମାନେ ଦାନ କରୁଥିବା ଟଙ୍କା ଏବଂ ନଗଦ ଅର୍ଥ ଗଣତି ସମୟରେ ଚୋରି ଓ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ଅଭିଯୁକ୍ତ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାର ଆର୍ଥିକ କାରବାର ମଧ୍ୟ ଯାଞ୍ଚ କରାଯାଇଥିବା କୋର୍ଟଙ୍କୁ ଜଣାଯାଇଥିଲା।
ତଦନ୍ତରେ କିଛି କର୍ମଚାରୀଙ୍କ ନାମରେ ବିପୁଳ ସମ୍ପତ୍ତି କିଣାଯାଇଥିବା ତଥ୍ୟ ସାମ୍ନାକୁ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏକ ଉଦାହରଣ ଦେଇ କୋର୍ଟଙ୍କୁ ଜଣାଯାଇଥିଲା ଯେ, ଜଣେ କର୍ମଚାରୀ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି କିଣିଥିବା ବେଳେ ମାତ୍ର ୧୫ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ଦେଖାଇଥିଲେ। ବାକି ଟଙ୍କା ଦାନ ଅର୍ଥ ହେରଫେରରୁ ମିଳିଥିବା ନଗଦ ଟଙ୍କାରେ ଦିଆଯାଇଥିବା ଅଭିଯୋଗ ରହିଛି। ତେବେ ସୁପ୍ରିମକୋର୍ଟରେ ଦାଖଲ ଆବେଦନଗୁଡ଼ିକର ଶୁଣାଣି ଶେଷ ହୋଇଥିଲେ ମଧ୍ୟ ମାମଲାର ପରବର୍ତ୍ତୀ ବିଚାର ନିମ୍ନ ଅଦାଲତରେ ଜାରି ରହିବ।

