Ved Rahi Death: ୯୩ ବର୍ଷ ବୟସରେ ଡୋଗରୀ ସାହିତ୍ୟିକ ବେଦ ରାହିଙ୍କ ପରଲୋକ, ସାହିତ୍ୟ ଜଗତରେ ଶୋକ
ନୂଆଦିଲ୍ଲୀ: ପ୍ରଖ୍ୟାତ ଡୋଗରୀ ଲେଖକ, ଚିନ୍ତକ ଓ ଚଳଚ୍ଚିତ୍ର ନିର୍ମାତା ବେଦ ରାହିଙ୍କର ୯୩ ବର୍ଷ ବୟସରେ ପରଲୋକ ହୋଇଛି। ନଭେମ୍ବର ୧ ତାରିଖ ସକାଳେ ମହାରାଷ୍ଟ୍ରର ଠାଣେସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରବିବାର ଅପରାହ୍ନରେ ଠାଣେର କୋପରୀ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଡୋଗରୀ ସାହିତ୍ୟ ପ୍ରତି ଅବଦାନ ପାଇଁ ବେଦ ରାହିଙ୍କୁ ୧୯୮୩ ମସିହାରେ ତାଙ୍କ କାହାଣୀ ସଂଗ୍ରହ ‘ଆଲେ’ ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ମିଳିଥିଲା। ଏହାସହ ୨୦୨୪ ମସିହାରେ ତାଙ୍କୁ ସାହିତ୍ୟ ଅକାଦେମୀର ସମ୍ମାନଜନକ ଫେଲୋସିପ୍ ପ୍ରଦାନ କରାଯାଇଥିଲା। ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଅବଦାନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ବେଦ ରାହିଙ୍କ ଦେହାନ୍ତରେ ସାହିତ୍ୟ ଅକାଦେମୀ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଅକାଦେମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ବିୟୋଗକୁ ସାହିତ୍ୟ ଜଗତ ପାଇଁ ଏକ କ୍ଷତି ଭାବେ ଦେଖିଛି। ଡୋଗରୀ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସ୍ମରଣୀୟ ରହିବ।

