Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kedartal Avalanche: ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ୮ ଟ୍ରେକର ନିଖୋଜ, ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର କେଦାରତାଲ ଟ୍ରେକିଂ ରୁଟ୍‌ରେ ହିମସ୍ଖଳନ ପରେ ୮ ଜଣ ଟ୍ରେକର ନିଖୋଜ ଥିବା ସୂଚନା ମିଳିଛି। ଅକ୍ଟୋବର ୨୭ରେ ୧୨ ଜଣିଆ ଦଳ ଗଙ୍ଗୋତ୍ରୀରୁ କେଦାରତାଲ ଯାତ୍ରା ଆରମ୍ଭ କରିଥିଲେ। ଅକ୍ଟୋବର ୨୯ରେ ଫେରିବାର ଯୋଜନା ଥିଲେ ମଧ୍ୟ ଖରାପ ପାଗ, ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ଏହି ଦଳରେ ୭ ଜଣ ଟ୍ରେକର, ଜଣେ ଗାଇଡ୍‌, ଜଣେ ରୋଷେୟା ଓ ୩ ଜଣ ପୋର୍ଟର ଥିଲେ। ଅକ୍ଟୋବର ୩୦ରେ ଦଳର ସଦସ୍ୟମାନେ କଚ୍ଛି ଧାଙ୍ଗ ନିକଟରୁ ଟ୍ରେକିଂ ଏଜେନ୍ସି ସହ ଫୋନ୍‌ରେ ଯୋଗାଯୋଗ କରି ନିଜେ ସୁରକ୍ଷିତ ଥିବା ଜଣାଇବା ସହ ସହାୟତା ମାଗିଥିଲେ।

ନେପାଳର ନୟନ ବାହାଦୁର ସିଂହ, ହରି ବାହାଦୁର ଶାହୀ ଓ ଦୀପକ ସିଂହ ନାମକ ୩ ଜଣ ପୋର୍ଟର ଏବଂ ଉତ୍ତରକାଶୀର ରୋଷେୟା ରୋହନ ରାଣା ସୁରକ୍ଷିତ ଫେରିଛନ୍ତି। ଅନ୍ୟ ୮ ଜଣଙ୍କ ମଧ୍ୟରେ ପଶ୍ଚିମବଙ୍ଗର ତପସ ବୌରୀ (୩୦), ରତ୍ନା ଘୋଷ (୨୩), ମନୋଜ ଖୋଭାସ (୩୯), ରିତୁ ମଣ୍ଡଳ (୪୦) ଓ ଉଦୟ ଘୋଷ (୩୦) ରହିଛନ୍ତି। ଏହାସହ ଉତ୍ତରପ୍ରଦେଶର ୨୮ ବର୍ଷୀୟ ବର୍ତ୍ତିକା ବର୍ମା ଓ ଉତ୍ତରକାଶୀର ୨୫ ବର୍ଷୀୟ ଗାଇଡ୍‌ ସିଦ୍ଧାର୍ଥ ରାଣା ମଧ୍ୟ ନିଖୋଜ ଅଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ, ନିଖୋଜ ଦଳର ଜଣେ ସଦସ୍ୟଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଅକ୍ଟୋବର ୩୧ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ କେଦାରତାଲ ଅଞ୍ଚଳରେ ଆକାଶମାର୍ଗରୁ ଯାଞ୍ଚ କରାଯାଇଥିଲେ ମଧ୍ୟ ଟ୍ରେକର କିମ୍ବା ସେମାନଙ୍କ ସାମଗ୍ରୀର କୌଣସି ସନ୍ଧାନ ମିଳିନଥିଲା। ନଭେମ୍ବର ୧ରେ SDRFର ହେଡ୍‌ କନଷ୍ଟେବଳ ରବି ଚୌହାନ ଓ କନଷ୍ଟେବଳ ଦୀପକ ପନ୍ତ ହର୍ଷିଲରେ ପହଞ୍ଚି ଦୁଇଥର ଆକାଶମାର୍ଗରୁ ଯାଞ୍ଚ କରିଥିଲେ। ଖରାପ ପାଗ ଯୋଗୁଁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଏବେ SDRF ଓ NDRFର ସ୍ୱତନ୍ତ୍ର ଟିମ୍‌ ପୁଣି ଭୂମିପଥରେ ଖୋଜାଖୋଜି ଆରମ୍ଭ କରିଛନ୍ତି ଏବଂ ହେଲିକପ୍ଟର ମାଧ୍ୟମରେ ମଧ୍ୟ ଉଦ୍ଧାର ଅଭିଯାନ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories