EPFO WhatsApp Service: PF ଖାତାର ହିସାବ ଏବେ ହାତ ପାହାନ୍ତାରେ, WhatsAppରେ ମିଳିବ ବାଲାନ୍ସ ଓ ପାସବୁକ୍ ଚେକ୍ କରିବାର ସୁବିଧା
ନୂଆଦିଲ୍ଲୀ: PF ଖାତାର ସୂଚନା ପାଇବା ପାଇଁ ଚାକିରିଆଙ୍କୁ ଆଉ ବାରମ୍ବାର EPFO ପୋର୍ଟାଲ୍ ଖୋଲିବାକୁ ପଡ଼ିବ ନାହିଁ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଏବେ WhatsApp ମାଧ୍ୟମରେ ଖାତା ସମ୍ପର୍କିତ କିଛି ଜରୁରୀ ସେବା ଉପଲବ୍ଧ କରାଇଛି। ଏହି ସୁବିଧାରେ ସଦସ୍ୟମାନେ ନିଜ PF ବାଲାନ୍ସ ଜାଣିବା ସହ ଶେଷ ୫ଟି କାରବାରର ବିବରଣୀ ଦେଖିପାରିବେ ଏବଂ ପାସବୁକ୍ ଡାଉନଲୋଡ୍ କରିପାରିବେ। EPFOର ସ୍ଥାପନା ଦିବସ ଅବସରରେ ନଭେମ୍ବର ୧ରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସେବା ଆରମ୍ଭ କରିଛନ୍ତି।
ନୂଆ ସୁବିଧା ନେବାକୁ ସଦସ୍ୟମାନେ ପ୍ରଥମେ EPFOର ଅଫିସିଆଲ୍ WhatsApp ନମ୍ବର +୯୧ ୮୭୯୬୪୪୧୮୦୦ ସେଭ୍ କରିବେ। ପରେ ଏହି ନମ୍ବରକୁ WhatsAppରେ “Hi” ଲେଖି ପଠାଇଲେ ଚାଟ୍ରେ ଆସୁଥିବା ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ସେବା ଚୟନ କରିପାରିବେ। PF ବାଲାନ୍ସ ଯାଞ୍ଚ, ଶେଷ ୫ଟି ଟ୍ରାଞ୍ଜାକ୍ସନ୍ ଦେଖିବା ଓ ପାସବୁକ୍ ଡାଉନଲୋଡ୍ ଏଥିରେ ସାମିଲ ରହିଛି। EPFO ପକ୍ଷରୁ ଜାରି QR କୋଡ୍ ସ୍କାନ୍ କରି ମଧ୍ୟ ଏହି ସେବାକୁ ଖୋଲିହେବ। ପାସବୁକ୍ରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଂଶଦାନ ସହ ଖାତାରେ ହୋଇଥିବା କାରବାରର ତଥ୍ୟ ଦେଖିପାରିବେ।
ତେବେ WhatsApp ସେବା ମାଧ୍ୟମରେ ଏବେ PF ଉଠାଣ, କ୍ଲେମ୍ ସେଟଲମେଣ୍ଟ୍ କିମ୍ବା ପ୍ରୋଫାଇଲ୍ ସଂଶୋଧନ ଭଳି ସମସ୍ତ କାମ କରିହେବ ନାହିଁ। ଏଭଳି ସେବା ପାଇଁ EPFOର ଅଫିସିଆଲ୍ ପୋର୍ଟାଲ୍ କିମ୍ବା ଅନ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ୍ ବ୍ୟବସ୍ଥା ବ୍ୟବହାର କରିବାକୁ ପଡ଼ିବ। ଖାତାର ସୁରକ୍ଷା ପାଇଁ ସଦସ୍ୟମାନେ କେବଳ ଅଫିସିଆଲ୍ ନମ୍ବରରେ ଯୋଗାଯୋଗ କରିବା ଉଚିତ। କୌଣସି ଅଜଣା ବ୍ୟକ୍ତିଙ୍କୁ OTP, ପାସୱାର୍ଡ କିମ୍ବା ଅନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାରୁ ସତର୍କ ରହିବା ଆବଶ୍ୟକ।

