Indian Navy Warships: ନୌସେନା ପାଇଁ ୮ଟି ନୂଆ ଯୁଦ୍ଧଜାହାଜ ନିର୍ମାଣ ହେବ, ୫୩,୮୬୬ କୋଟିର ଚୁକ୍ତି ସ୍ୱାକ୍ଷର
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢ଼ାଇବା ସହ ଭାରତୀୟ ନୌସେନାର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି। ନୌସେନା ପାଇଁ ୮ଟି ନେକ୍ସ୍ଟ ଜେନେରେସନ୍ କର୍ଭେଟ୍ ନିର୍ମାଣ କରିବାକୁ ଗାର୍ଡେନ୍ ରିଚ୍ ସିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (GRSE) ଏବଂ ଗୋଆ ସିପ୍ୟାର୍ଡ ଲିମିଟେଡ୍ (GSL) ସହ ୫୩,୮୬୬.୫୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର ହୋଇଛି।
ଏହି ଚୁକ୍ତି ଅନୁସାରେ, GRSE ୫ଟି ଏବଂ GSL ୩ଟି ଯୁଦ୍ଧଜାହାଜ ନିର୍ମାଣ କରିବ। ଏହି ଜାହାଜଗୁଡ଼ିକରେ ଆଧୁନିକ କ୍ଷେପଣାସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ସେନ୍ସର ବ୍ୟବସ୍ଥା ରହିବ। ଏହାଦ୍ୱାରା ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥା ମଜଭୁତ ହେବା ସହ ଶତ୍ରୁପକ୍ଷର ବୁଡ଼ାଜାହାଜ ଚିହ୍ନଟ କରିବା ଏବଂ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ନଜର ରଖିବାର କ୍ଷମତା ବଢ଼ିବ।
ଏହି ପ୍ରକଳ୍ପ ଦ୍ୱାରା ଆଗାମୀ ୧୦ ବର୍ଷ ମଧ୍ୟରେ ଜାହାଜ ନିର୍ମାଣ କେନ୍ଦ୍ର ଓ ଏହା ସହ ଜଡ଼ିତ ସହାୟକ ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଏହାସହ ଦେଶରେ ସ୍ୱଦେଶୀ ଯୁଦ୍ଧଜାହାଜ ନିର୍ମାଣକୁ ଗତି ମିଳିବ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ମଧ୍ୟ ସହାୟତା ମିଳିବ।

