Padma Shri Dr Ashok Mahapatra: ପରଲୋକରେ ବିଶିଷ୍ଟ ନ୍ୟୁରୋସର୍ଜନ୍ ଡା. ଅଶୋକ ମହାପାତ୍ର, ଚିକିତ୍ସା ଜଗତରେ ଶୋକର ଛାୟା
ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଡାକ୍ତରୀ ମହଲଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଶୋକ ପ୍ରକାଶ ପାଇଛି। ମସ୍ତିଷ୍କ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁଁ କିଛିଦିନ ହେଲା ସେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଏଥିପାଇଁ ତାଙ୍କ ସହ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଯାଇଥିଲେ।
ଜଗା-ବଳିଆ ନାମରେ ପରିଚିତ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ଡା. ମହାପାତ୍ରଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଏହି ସଫଳ ଚିକିତ୍ସା ପରେ ସେ ଦେଶବ୍ୟାପୀ ପ୍ରଶଂସା ସାଉଁଟିଥିଲେ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ଏବେ ସେଠାରେ ପ୍ରିନ୍ସିପାଲ୍ ଆଡ୍ଭାଇଜର ଦାୟିତ୍ୱରେ ଥିଲେ। ଏହା ପୂର୍ବରୁ ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ। ଡାକ୍ତରୀ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର କାର୍ଯ୍ୟ ଓ ଅବଦାନକୁ ସ୍ୱୀକୃତି ଦେଇ ୨୦୨୫ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଡାକ୍ତରୀ ପେସା ବ୍ୟତୀତ ଗବେଷଣା ଓ ଶିକ୍ଷାଦାନରେ ମଧ୍ୟ ଡା. ମହାପାତ୍ରଙ୍କ ଦୀର୍ଘ ଅଭିଜ୍ଞତା ରହିଥିଲା। ତାଙ୍କ ଦ୍ୱାରା ୮୭୦ଟି ଗବେଷଣା ପ୍ରକାଶନ ହୋଇଥିବା ବେଳେ ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ରଚନା କରିଥିଲେ। ୧୨ ଜଣ ଗବେଷକଙ୍କ ପିଏଚ୍ଡି ଗବେଷଣାରେ ମାର୍ଗଦର୍ଶକ ସାଜିଥିଲେ। ନିଜ କାର୍ଯ୍ୟଜୀବନରେ ପ୍ରାୟ ୭୫ଟି ପୁରସ୍କାର ଓ ୧୭ଟି ଓରେସନ୍ ସମ୍ମାନ ହାସଲ କରିଥିଲେ। ଜଣେ ଅଭିଜ୍ଞ ଡାକ୍ତରଙ୍କ ସହ ଜଣେ ଗବେଷକ, ଶିକ୍ଷାବିତ୍ ଓ ଲେଖକ ଭାବେ ମଧ୍ୟ ତାଙ୍କର ପରିଚୟ ଥିଲା। ତାଙ୍କର ଏହି ବହୁମୁଖୀ ଅବଦାନ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ।

