Utkal University Health Alert: ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ହଷ୍ଟେଲରେ ବ୍ୟାପୁଛି ଝାଡ଼ାବାନ୍ତି ଓ ଜଣ୍ଡିସ୍ , ମିଡ୍ ସେମିଷ୍ଟର ପରୀକ୍ଷା ସ୍ଥଗିତ ହେଲା
ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ରୋଗର ଲକ୍ଷଣ ଦେଖାଦେବା ପରେ କ୍ୟାମ୍ପସରେ ଚିନ୍ତା ବଢ଼ିଛି। ୬ ଓ ୭ ନମ୍ବର ମହିଳା ହଷ୍ଟେଲର ଅନେକ ଛାତ୍ରୀ ଅସୁସ୍ଥ ହୋଇଥିବାରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏନେଇ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହୋଇଛି।
ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ହଷ୍ଟେଲରେ ପହଞ୍ଚି ୩୦ରୁ ଅଧିକ ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ହସ୍ପିଟାଲରେ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଉଛି। କ୍ୟାମ୍ପସରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍, ଫାର୍ମାସୀ ଓ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି। ଏହାସହ ହଷ୍ଟେଲଗୁଡ଼ିକୁ ୧ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଛାତ୍ରୀମାନଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମର ସର୍ଭେଲାନ୍ସ ଟିମ୍ ମଧ୍ୟ ହଷ୍ଟେଲ ପରିଦର୍ଶନ କରି ଜଳ ଓ ରକ୍ତ ନମୁନା ସଂଗ୍ରହ କରିଛି। ଏହି ଟିମ୍ରେ ମହାମାରୀ ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍ ଓ ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ସାମିଲ ଅଛନ୍ତି। ପାନୀୟ ଜଳର ସୁରକ୍ଷା ଓ ଖାଦ୍ୟର ସ୍ୱଚ୍ଛତା ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଉଛି। କୌଣସି ଅସୁସ୍ଥତାର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

