Prajwal Revanna Case: ପ୍ରଜ୍ୱଳ ରେଭନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରାଇବାରେ ରହିଛି ୩ ମହିଳା ପୁଲିସ ଅଧିକାରୀଙ୍କ ବଡ଼ ଭୂମିକା
କର୍ଣ୍ଣାଟକ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କ ନାତି ଏବଂ କେନ୍ଦ୍ରମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ପୁତୁରା ପ୍ରଜ୍ୱଳ ରେଭନ୍ନା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ସାଂସଦ ଥିଲେ। ୨୦୨୪ ମେ’ ମାସରେ ତାଙ୍କୁ ଚାରିଟି ଯୌନ ନିର୍ଯାତନା ମାମଲାରେ ଗିରଫ କରାଯାଇଥିଲା। ପରେ ୪୮ ବର୍ଷୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାସହ ଯୌନ ନିର୍ଯାତନା ସମ୍ପର୍କିତ ଭିଡିଓ ପ୍ରସାରଣ ମାମଲାରେ ମଧ୍ୟ ତାଙ୍କୁ ଦୋଷୀ ଘୋଷଣା କରାଯାଇଥିଲା।
ଏହି ମାମଲାର ତଦନ୍ତରେ ତିନି ଜଣ ମହିଳା ପୁଲିସ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେମାନେ ହେଲେ ଇନ୍ସପେକ୍ଟର ଶୋଭା ଏନ୍, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ରତ୍ନମ୍ମା କେ ଏବଂ ସିଭିଲ୍ ପୁଲିସ ହେଡ୍ କନଷ୍ଟେବଳ ବାଲକୃଷ୍ଣ ୱାଇ। ଏହି ତିନି ଅଧିକାରୀ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବି.କେ. ସିଂହଙ୍କ ନେତୃତ୍ୱରେ ଗଠିତ CID ଟିମ୍ରେ ସାମିଲ ଥିଲେ।
ହାସନ ଜିଲ୍ଲାର ହୋଲେନରସିପୁରାସ୍ଥିତ ଏକ ଫାର୍ମହାଉସ୍ରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଜଡ଼ିତ ଦୁଷ୍କର୍ମ ମାମଲାର ତଦନ୍ତ ଏହି ଟିମ୍ କରିଥିଲା। ତଦନ୍ତରେ ମିଳିଥିବା ତଥ୍ୟ ଓ ପ୍ରମାଣ ଆଧାରରେ ମାମଲାର ଶୁଣାଣି ଆଗକୁ ବଢ଼ିଥିଲା ଏବଂ ଶେଷରେ ପ୍ରଜ୍ୱଳ ରେଭନ୍ନା ଦୋଷୀ ସାବ୍ୟସ୍ତ ହୋଇଥିଲେ।

