ଜମନକିରାରେ ଯୁବତୀଙ୍କୁ ନିର୍ମମ ଆକ୍ରମଣ ଓ ଅସଦାଚରଣ: ଯୁବକ ଗିରଫ, ଆହତ ମହିଳା ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ସଦର ମହକୁମା ଅଞ୍ଚଳରେ ଜଣେ ସାରିକା ଷଣ୍ଢ ଯୁବତୀଙ୍କୁ ବେଧଡ଼କ ମାରପିଟ୍ କରିବା ସହ ଘୋଷାଡ଼ି ଟଣାଓଟରା କରି ଲୁଗାପଟା ଚିରି ଅସଦାଚରଣ କରିବା ସହ ଲହୁ ଲୁହାଣ କରିବା ଅଭିଯୋଗରେ ପୁଲିସ କାହ୍ନା ଅଗ୍ରୱାଲ(୨୨) ନାମକ ଜଣେ ଜମନକିରା ରାଧାକୃଷ୍ଣ ପଡ଼ାର ଯୁବକଙ୍କୁ ଗିରଫ କରି ତା’ ନାଁରେ ମାମଲା ରୁଜୁ କରିଛି। ଆକ୍ରମଣର ଶିକାର ହୋଇଥିବା ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତକାଲି ପୂର୍ବାହ୍ନ ପ୍ରାୟ ୧୦:୩୦ ସମୟରେ ସାରିକା ସଣ୍ଡଙ୍କ ଘର ସାମ୍ନାରେ ତାଙ୍କ ସମ୍ମୁଖ ଘରର ଜଣେ ମହିଳା ମଇଳା ଆବର୍ଜନା ପକାଉଥିଲେ। ସାରିକା ଏହାର ପ୍ରତିବାଦ କରିବାରୁ ଉକ୍ତ ମହିଳାଙ୍କ ପୁଅ କାହ୍ନା ଅଗ୍ରୱାଲ ଉତକ୍ଷିପ୍ତ ହୋଇ ସେଠାରେ ପହଞ୍ଚିଥିଲେ। କାହ୍ନା ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ସହ ନିର୍ଘାତ ମାଡ଼ ମାରିଥିଲେ। ଏତିକିରେ ନଅଟକି ସେ ସାରିକାଙ୍କ ଶାଢ଼ୀ ଓ ପୋଷାକପତ୍ର ଟାଣି ଚିରିଦେବା ସହ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି।
ଏହି ମରଣାନ୍ତକ ଆକ୍ରମଣରେ ସାରିକା ଗୁରୁତର ଭାବେ ଆହତ ହୋଇ ଅଚେତ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ନେଇ ସାରିକାଙ୍କ ମାଆ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଜମନକିରା ଥାନାରେ କେସ୍ ନମ୍ବର ୧୮୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୨୬(୨), ୨୯୬, ୧୧୫(୨), ୭୪, ୨୯୨ ଏବଂ ୩୫୧(୩) ଅନୁଯାୟୀ କେସ୍ ଦାୟର କରି ଅଭିଯୁକ୍ତ କାହ୍ନା କୁ ପୁଲିସ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

