Anil Ambani Group ED Action: ଅନିଲ ଅମ୍ବାନୀଙ୍କ କମ୍ପାନୀ ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ୫୧୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍
ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହ ଜଡ଼ିତ କମ୍ପାନୀଗୁଡ଼ିକ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। କଥିତ ବ୍ୟାଙ୍କ ଠକେଇ ଓ ମନି ଲଣ୍ଡରିଂ ମାମଲାର ତଦନ୍ତ ମଧ୍ୟରେ ଏଜେନ୍ସି ପ୍ରାୟ ୫୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଆଟାଚ୍ କରିଛି। ନଭେମ୍ବର ୩ ତାରିଖରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ED ସୂଚନା ଦେଇଛି।
ED ଅନୁସାରେ, ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଚାର୍ଟାର୍ଡ ବିମାନ, ମହାରାଷ୍ଟ୍ରରେ ୬ଟି ଜମି ଖଣ୍ଡ ଏବଂ ଗୋଟିଏ ଅଫିସ୍ ପରିସର ରହିଛି। ଏହା ସହ ତାମିଲନାଡୁରେ ଥିବା ଦୁଇଟି ପବନଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର (ୱିଣ୍ଡମିଲ୍), ବ୍ୟାଙ୍କ ଜମା, ଫିକ୍ସଡ୍ ଡିପୋଜିଟ୍ ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିକୁ ମଧ୍ୟ ଆଟାଚ୍ କରାଯାଇଛି। ରିଲାଏନ୍ସ କମ୍ୟୁନିକେସନ୍ସ (RCOM) ସହ ଜଡ଼ିତ ମାମଲାରେ ୨୪୭.୧୨ କୋଟି ଟଙ୍କା ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ମାମଲାରେ ୨୬୩.୦୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଛି।
ଏହି ମାମଲାଗୁଡ଼ିକରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ମିଳିଥିବା ଅର୍ଥର ଅପବ୍ୟବହାର ଏବଂ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ED ଅଭିଯୋଗ କରିଛି। ଏଜେନ୍ସିର କହିବା ଅନୁସାରେ, ଏହି ନୂଆ କାର୍ଯ୍ୟାନୁଷ୍ଠାନ ପରେ ଅନିଲ ଅମ୍ବାନୀ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ମାମଲାରେ ଆଟାଚ୍ ଓ ଜବତ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୨୩,୧୦୦ କୋଟି ଟଙ୍କାରେ ପହଞ୍ଚିଛି।

