US Sanctions:ଇରାନକୁ ସହାୟତା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ସମେତ ୯ କମ୍ପାନି ଉପରେ ଆମେରିକାର କଟକଣା
ନୂଆଦିଲ୍ଲୀ: ଇରାନର ତୈଳ ରପ୍ତାନି ଉପରେ ଲାଗିଥିବା ଆମେରିକୀୟ କଟକଣା ଏଡ଼ାଇବାରେ ସହାୟତା କରିଥିବା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ସମେତ ଅନେକ ବ୍ୟକ୍ତି ଓ କମ୍ପାନିଙ୍କ ବିରୋଧରେ ନୂଆ କଟକଣା ଘୋଷଣା କରିଛି ଆମେରିକା। ଆମେରିକାର ଅର୍ଥ ବିଭାଗ ଅନୁଯାୟୀ, ଚଣ୍ଡିଗଡ଼ର ସୁନୀଲ କୁମାର ଶର୍ମା ଓ ତାଙ୍କ ପତ୍ନୀ ଜସପ୍ରୀତ ପ୍ରୀତି ଶାହିଦ ଏକ ନେଟୱାର୍କ ପରିଚାଳନା କରୁଥିଲେ। ଏହି ନେଟୱାର୍କ ଇରାନୀ ତୈଳ ପରିବହନ କରୁଥିବା ଜାହାଜଗୁଡ଼ିକୁ ଜାଲ୍ ସାମୁଦ୍ରିକ ପଞ୍ଜୀକରଣ ଓ ପ୍ରମାଣପତ୍ର ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି।
ଆମେରିକାର ଅର୍ଥ ବିଭାଗ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’ର ଅଂଶ ବୋଲି କହିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଇରାନକୁ କଟକଣା ଏଡ଼ାଇବାରେ ସହାୟତା କରୁଥିବା ନେଟୱାର୍କଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ। ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ଇରାନ ଶାସନକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଆମେରିକା କଠୋର ଆଭିମୁଖ୍ୟ ଜାରି ରଖିବ। ଏହି ନେଟୱାର୍କ ସହ ଜଡ଼ିତ ଭାରତୀୟ ନାଗରିକ ଅଶ୍ୱନୀ କୁମାର ଧିମାନ ଓ ଈଶ୍ୱରବିନ୍ଦର ସିଂହଙ୍କ ନାମ ମଧ୍ୟ କଟକଣା ତାଲିକାରେ ରହିଛି।
ଆମେରିକା ଅନୁଯାୟୀ, ଶର୍ମା ଓ ତାଙ୍କ ପତ୍ନୀ ବିଭିନ୍ନ ଦେଶର ଅଧିକାରୀ ଭାବେ ନିଜକୁ ପରିଚୟ ଦେଇ ଜାହାଜ ପଞ୍ଜୀକରଣ, ପତାକାକରଣ ଓ ଅନ୍ୟାନ୍ୟ ସାମୁଦ୍ରିକ ସେବା ପ୍ରଦାନ କରୁଥିବା ୱେବସାଇଟ୍ ଚଳାଉଥିଲେ। ଏହି ସେବା ପ୍ରଦାନ ପାଇଁ ସେମାନଙ୍କର ଅଧିକାର ନଥିବା ଅଭିଯୋଗ ହୋଇଛି। ନେଟୱାର୍କ ସହ ସମ୍ପର୍କ ଥିବା ୯ଟି ଭାରତୀୟ କମ୍ପାନି ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଏହା ସହ ଇରାନର ବିମାନ ସେବାକୁ ସହାୟତା କରିଥିବା ଅଭିଯୋଗରେ ତୁର୍କୀର ଫ୍ୟୁଗୋ ଗ୍ରାଉଣ୍ଡ ସର୍ଭିସେସ୍ କମ୍ପାନିକୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ କରାଯାଇଛି।

