Supreme Court: ୩୨ ବର୍ଷ ପରେ କର୍ମଚାରୀଙ୍କୁ ନ୍ୟାୟ, ୧୯୯୪ରୁ ମିଳିବ ନିୟମିତ ଚାକିରି ଓ ବକେୟା ଟଙ୍କା
ଭୁବନେଶ୍ୱର: ଦୀର୍ଘ ୩୨ ବର୍ଷର ଆଇନଗତ ଲଢ଼େଇ ପରେ ସରକାରୀ ଛାପାଖାନାର ୧୦୪ ଜଣ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେମାନଙ୍କ ଚାକିରିକୁ ୧୯୯୪ ମସିହାରୁ ନିୟମିତ କରିବା ସହ ସମସ୍ତ ଆର୍ଥିକ ସୁବିଧା ଦେବାକୁ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହି ରାୟକୁ ଚ୍ୟାଲେଞ୍ଜ କରି ସରକାରୀ ଛାପାଖାନା ନିର୍ଦ୍ଦେଶକଙ୍କ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ।
୧୯୯୨-୯୩ ମସିହାରେ ପ୍ରାୟ ୧୦୫ ଜଣ କର୍ମଚାରୀଙ୍କୁ କାଜୁଆଲ ଲେବର ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୯୪ରେ ସେମାନଙ୍କ ଚାକିରି ନିୟମିତ କରିବା ପାଇଁ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଥିଲେ ମଧ୍ୟ ଏପ୍ରିଲ ୭ ତାରିଖରେ ତାହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ କର୍ମଚାରୀମାନେ ପ୍ରଥମେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ଓ ପରେ ହାଇକୋର୍ଟରେ ନ୍ୟାୟ ପାଇଁ ଲଢ଼େଇ କରିଥିଲେ। ହାଇକୋର୍ଟଙ୍କ ରାୟକୁ ଜଷ୍ଟିସ୍ ପି.ଏସ୍. ନରସିମ୍ହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ସମର୍ଥନ କରିଛନ୍ତି।
୧୦୪ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଅବସର ନେଇଛନ୍ତି ଏବଂ ୨୬ ଜଣ ଏବେ କାର୍ଯ୍ୟରତ ଅଛନ୍ତି। ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଚିହ୍ନଟ କରି ବକେୟା ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନିର୍ଦ୍ଦେଶ ପାଳନରେ ବିଳମ୍ବ ହେଲେ ସୁଧ ଦେବା ଏବଂ ପ୍ରତ୍ୟେକ ଆବେଦନକାରୀଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ରାୟ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ବଡ଼ ଆଶ୍ୱସ୍ତି ଆଣିଛି।

