Jharkhand High Court: ମାନସିକ ରୋଗ ଓ ନିର୍ଯାତନା ଅଭିଯୋଗରେ ମିଳିବନି ଛାଡ଼ପତ୍ର , ସ୍ୱାମୀଙ୍କ ଆବେଦନକୁ ଖାରଜ କଲେ କୋର୍ଟ
ଝାଡ଼ଖଣ୍ଡ: ପତ୍ନୀଙ୍କ ମାନସିକ ରୋଗ ଓ କ୍ରୂରତାକୁ ଆଧାର କରି ଛାଡ଼ପତ୍ର ମାଗିଥିବା ଜଣେ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଅଦାଲତ କହିଛନ୍ତି, ବିବାହର ଅର୍ଥ କେବଳ ସୁଖ ସମୟରେ ଏକାଠି ରହିବା ନୁହେଁ; ବରଂ ଜୀବନର ଭଲ ଓ ଖରାପ ପରିସ୍ଥିତିରେ ପରସ୍ପରର ସାଥୀ ହୋଇ ରହିବା। ଜୀବନରେ ଆସୁଥିବା ସମସ୍ୟା କିମ୍ବା ସ୍ୱାସ୍ଥ୍ୟଗତ ଅସୁବିଧାକୁ ଦର୍ଶାଇ ଜୀବନସାଥୀଙ୍କୁ ଛାଡ଼ିଦେବା ଉଚିତ୍ ନୁହେଁ ବୋଲି ଅଦାଲତ ମତ ଦେଇଛନ୍ତି।
ହାଇକୋର୍ଟ କହିଛନ୍ତି, ଭାରତୀୟ ସମାଜରେ ବିବାହର ଏକ ବିଶେଷ ଓ ପବିତ୍ର ମହତ୍ତ୍ୱ ରହିଛି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ ଓ ଜଷ୍ଟିସ୍ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଖଣ୍ଡପୀଠରେ ହୋଇଥିଲା। ସ୍ୱାମୀ ଚତରା ଫ୍ୟାମିଲି କୋର୍ଟର ୭ ସେପ୍ଟେମ୍ବର ୨୦୨୪ର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ।
ସ୍ୱାମୀ ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୧୩(୧)(ia) ଓ ୧୩(୧)(iii) ଅନୁଯାୟୀ ଛାଡ଼ପତ୍ର ଦାବି କରିଥିଲେ। ଏଥିରେ ପତ୍ନୀଙ୍କ କ୍ରୂରତା ଓ ମାନସିକ ରୋଗକୁ କାରଣ ଭାବେ ଦର୍ଶାଯାଇଥିଲା। କିନ୍ତୁ ଏହି ଅଭିଯୋଗ ପ୍ରମାଣ କରିବା ପାଇଁ ଯଥେଷ୍ଟ ତଥ୍ୟ ନଥିବାରୁ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି।

