Bhubaneswar Crime: ୪ ଦିନରେ ୫ ହତ୍ୟା, ଗୁଳିମାଡ଼ରୁ ପଥର ଆକ୍ରମଣ ଯାଏଁ; ଅଶାନ୍ତ ହେଉଛି ରାଜଧାନୀ!
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ହିଂସାକାଣ୍ଡ। କେଉଁଠି ଗୁଳିମାଡ଼ରେ ଜୀବନ ଯାଉଛି ତ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ କି ପାରିବାରିକ ବିବାଦ, ହିଂସାର ରୂପ ନେଉଛି ଛୋଟ ଛୋଟ କଥା। ଗତକାଲି ବିଳମ୍ବିତ ରାତିରେ ବୋମିଖାଲ ଅଞ୍ଚଳରେ ଗୁଳିମାଡ଼ରେ ସୋନୁ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣେଇ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଗତକାଲି ରାତିରେ ପୁଣି ଉତ୍ତେଜନା ବଢ଼ିଥିଲା। ଏହି ସମୟରେ ଭିଣେଇ ଗୁଳି ଚଳାଇଥିବା କୁହାଯାଉଛି। ଘଟଣା ପରେ ପୁଲିସକୁ ଭ୍ରମିତ କରିବା ପାଇଁ ପରିବାର ପକ୍ଷରୁ ନାଟକ ରଚାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରୁଛି।
ସେହିପରି ମଞ୍ଚେଶ୍ୱର ଥାନା ଅଧୀନ ତାରିଣୀ ବସ୍ତିରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ସମ୍ପର୍କକୁ ସନ୍ଦେହ କରି ଗଞ୍ଜାମର ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବସ୍ତିରେ ରହୁଥିବା ଜଣେ ନେପାଳୀ ଦମ୍ପତିଙ୍କ ମଧ୍ୟରେ ଏହି କଥାକୁ ନେଇ ବିବାଦ ଥିଲା। ମହିଳାଙ୍କ ସହ ପଡ଼ୋଶୀ ଘରେ ରହୁଥିବା ଯୁବକଙ୍କ ସମ୍ପର୍କ ଥିବା ସ୍ୱାମୀ ସନ୍ଦେହ କରୁଥିଲେ। ଏହି ସନ୍ଦେହରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ଘଟଣାରେ ଜଣଙ୍କୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଚଳାଇଛି। ଏହା ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ତାଙ୍କ ଘରୋଇ ସହାୟକ ହତ୍ୟା କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଗତ ୪ ଦିନ ମଧ୍ୟରେ ଭୁବନେଶ୍ୱରରେ ୫ଟି ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି। ଲଗାତାର ଏଭଳି ହତ୍ୟା ଓ ହିଂସାକାଣ୍ଡ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି। ଏହି ସମସ୍ତ ଘଟଣାର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ଭୂମିକା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

