Law Admission: ଆଇନ ପାଠପଢ଼ା ପାଇଁ ଆଉ ବୟସ ସୀମା ନାହିଁ, ପ୍ରତ୍ୟାହାର କଲା BCI!
ନୂଆଦିଲ୍ଲୀ: ଆଇନ ପାଠପଢ଼ା କରିବାକୁ ଇଚ୍ଛା ରଖିଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ତିନି ବର୍ଷିଆ ଏବଂ ପାଞ୍ଚ ବର୍ଷିଆ ଆଇନ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଥିବା ସର୍ବୋଚ୍ଚ ବୟସ ସୀମାକୁ ପ୍ରତ୍ୟାହାର କରିନେଇଛି ଭାରତୀୟ ବାର୍ କାଉନ୍ସିଲ୍ (BCI)। ଏନେଇ ବିସିଆଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି।
ଏହି ନିଷ୍ପତ୍ତି ପରେ ଆଉ ବୟସ ସୀମାକୁ ନେଇ ଆଇନ ଶିକ୍ଷା ଗ୍ରହଣ କରିବାରେ ବାଧା ରହିବ ନାହିଁ। ଅର୍ଥାତ୍, ଯେକୌଣସି ବୟସର ଆଶାୟୀ ପ୍ରାର୍ଥୀ ତିନି ବର୍ଷିଆ କିମ୍ବା ପାଞ୍ଚ ବର୍ଷିଆ ଆଇନ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇପାରିବେ।
ବିସିଆଇର ଏହି ପଦକ୍ଷେପ ଫଳରେ ଅଧିକ ବୟସ ହୋଇଯାଇଥିବାରୁ ଆଇନ ପଢ଼ିବାରୁ ବଞ୍ଚିତ ହେଉଥିବା ଆଶାୟୀମାନେ ଉପକୃତ ହେବେ। ଏହା ଦ୍ୱାରା ନିଜର ପାଠପଢ଼ା ଜାରି ରଖିବା କିମ୍ବା ନୂଆ କରି ଆଇନ ଶିକ୍ଷା ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁଯୋଗ ବଢ଼ିବ।

