ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଳାତଙ୍କ ଟିକା ନାହିଁ: ମାଙ୍କଡ଼ କାମୁଡ଼ା ରୋଗୀ ହନ୍ତସନ୍ତ, ଖର୍ଚ୍ଚାନ୍ତ ହୋଇ, ଗଲେ କୁଚିଣ୍ଡା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ହେଲଥ ଆଣ୍ଡ ୱେଲନେସ୍ ସେଣ୍ଟର)ରେ ଜଳାତଙ୍କ ରୋଗର ପ୍ରତିଷେଧକ ଟିକା (Anti-Rabies Vaccine) ଉପଲବ୍ଧ ନଥିବାରୁ ଜଣେ କର୍ମଚାରୀ ମହିଳା ଚିକିତ୍ସା ନପାଇ ନାନା ହଇରାଣ ହରକତ ହେବା ଘଟଣା ସାମ୍ନାକୁ ଆସିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜମନକିରା ବ୍ଲକ ଟିକଲିପଡ଼ା କନ୍ୟାଶ୍ରମରେ କାର୍ଯ୍ୟରତ ମେଟ୍ରନ ସଞ୍ଜୁକ୍ତା ନାୟକଙ୍କୁ ମାଙ୍କଡ଼ ବାରମ୍ବାର ଆକ୍ରମଣ କରି କ୍ଷତବିକ୍ଷତ କରିଥିଲା। ଏହି କାରଣରୁ ସେ ନିୟମିତ ବ୍ୟବଧାନରେ ଜଳାତଙ୍କ ପ୍ରତିଷେଧକ ଇଞ୍ଜେକ୍ସନ ନେଇ ଆସୁଥିଲେ। ତେବେ ପରବର୍ତ୍ତୀ ଡୋଜ୍ ନେବା ପାଇଁ ଆଜି ସେ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ସେଠାରେ ଟିକା ମହଜୁଦ ନଥିବା ଜାଣିବାକୁ ପାଇଥିଲେ। ଡାକ୍ତରଖାନାରେ ଟିକା ନଥିବା ଯୋଗୁଁ ତାଙ୍କୁ ଚିକିତ୍ସା ନପାଇ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ଜଳାତଙ୍କ ରୋଗର ଟିକା ନିର୍ଦ୍ଧାରିତ ତାରିଖରେ ନେବା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସୁଶ୍ରୀ ନାୟକ ବାଧ୍ୟ ହୋଇ ତୁରନ୍ତ ନିଜ ଗାଣ୍ଠିରୁ ଅତିରିକ୍ତ ଅର୍ଥ ଖର୍ଚ୍ଚ କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଯାଇ ସେଠାରେ ଟିକା ଗ୍ରହଣ କରିଛନ୍ତି। ବଡ଼ ଦୁର୍ଭାଗ୍ୟର ବିଷୟ, ବ୍ଲକ ସଦର ମହକୁମାର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଜୀବନ ରକ୍ଷାକାରୀ ଔଷଧର ଅଭାବ ରହିବା ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ଅବହେଳାକୁ ପଦାରେ ପକାଇଛି। ଏହି ସମସ୍ୟା ତଥା ଟିକା ଅଭାବ ସମ୍ପର୍କରେ ସ୍ଥାନୀୟ ଡାକ୍ତର ସୁରଜ ପଟେଲ ଏବଂ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ହରିଶ୍ଚନ୍ଦ୍ର ବାଗଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେମାନେ ଫୋନ୍ ଉଠାଇ ନଥିବାରୁ ଏ ନେଇ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି। ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରି ଜମନକିରା ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଜଳାତଙ୍କ ଟିକା ଉପଲବ୍ଧ କରାଇବା ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରୁ ଦୃଢ଼ ଦାବି ହୋଇଛି।

