Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ବାହାଲରେ ପାରମ୍ପରିକ ନାଗେନ ଚଉଠି ଯାତ୍ରା ଅନୁଷ୍ଠିତ: ଘୁଡୁକା ନାଚ ଓ ଅପେରା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ବଡ଼ବାହାଲ ଗ୍ରାମରେ ପାରମ୍ପରିକ ଲୋକଉତ୍ସବ ‘ନାଗେନ ଚଉଠି ଯାତ୍ରା’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୧୪ ବର୍ଷ ଧରି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପ୍ରତିବର୍ଷ ଶୁଭ ଦୀପାବଳି ତିଥି ଅବସରରେ ଏହି ଯାତ୍ରା ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି। ଉତ୍ସବ ଉପଲକ୍ଷେ ସକାଳୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ବାଦ୍ୟର ତାଳେ ତାଳେ ଗ୍ରାମ ପରିବେଶ ଆଧ୍ୟାତ୍ମିକତାରେ ଝଙ୍କୃତ ହୋଇଉଠିଥିବା ବେଳେ ନାଗବାଚା ଗୁରୁ ଜୟକୃଷ୍ଣ ଛତ୍ରିଆ ମୁଖ୍ୟ ପୂଜକ ଭାବେ ପୂଜାବିଧି ସମ୍ପାଦନ କରିଥିଲେ। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ବହୁ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାନସିକ ପୂରଣ ସହ ଦର୍ଶନ ସୌଭାଗ୍ୟ ଲାଭ କରିଥିଲେ। ଯାତ୍ରାକୁ ଆହୁରି ମନୋରଞ୍ଜନଧର୍ମୀ ଓ ଆକର୍ଷଣୀୟ କରିବା ପାଇଁ ରାତ୍ରିରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ‘ମା’ ସମଲେଶ୍ୱରୀ ଟୁକେଲ ଦଣ୍ଡ ପାର୍ଟି’ ପକ୍ଷରୁ ମଞ୍ଚସ୍ଥ ମନମୁଗ୍ଧକର ଘୁଡ଼କା ନାଚ ସହିତ ରଙ୍ଗାରଙ୍ଗ ଅପେରା ନାଟକ ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଲୋକକଳାର ଏହି ନିଆରା ପରିବେଷଣକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ। ପୂଜା କମିଟି ସଭାପତି ନେହେରୁ କିସାନଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ବିଲୁପ୍ତପ୍ରାୟ ଲୋକସଂସ୍କୃତି ଓ ପାରମ୍ପରିକ ବିଶ୍ୱାସକୁ ଉଜ୍ଜୀବିତ ରଖିବା ସହିତ ଗ୍ରାମାଞ୍ଚଳରେ ପାରସ୍ପରିକ ସଦ୍ଭାବ, ଭାଇଚାରା ଓ ସାମାଜିକ ଏକତା ସୁଦୃଢ଼ କରିବାରେ ଏହି ଯାତ୍ରା ଏକ ଉଦାହରଣ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories