Pension Scheme: ଆଜି ବାଲେଶ୍ୱରରେ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ଓଡ଼ିଶାର ସାମାଜିକ ସୁରକ୍ଷା ଭତ୍ତା ଅପେକ୍ଷାରେ ଥିବା ଲକ୍ଷାଧିକ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୧୦ ତାରିଖ ଅର୍ଥାତ ଆଜି ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିଛନ୍ତି। ଏହି କାର୍ଯ୍ୟକ୍ରମ ମଧୁବାବୁ ପେନସନ୍ ଯୋଜନା ସମେତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଛି।
ସରକାରଙ୍କ ନୂଆ ବ୍ୟବସ୍ଥା ଅନୁଯାୟୀ, ଭତ୍ତା ପାଇଁ ଆବେଦନ କରିବା ପରେ ଯୋଗ୍ୟତା ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟା ଶେଷ ହେଲେ ପରବର୍ତ୍ତୀ ମାସରୁ ହିତାଧିକାରୀଙ୍କୁ ଭତ୍ତା ମିଳିବ। ଏହାଦ୍ୱାରା ଆବେଦନ ମଞ୍ଜୁର ହେବା ପରେ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବା ସମସ୍ୟା କମିବ ବୋଲି ସରକାର ଆଶା ରଖିଛନ୍ତି। ଭତ୍ତା ଆବେଦନ ପାଇଁ ହିତାଧିକାରୀମାନେ ନିଜ ବ୍ଲକ୍ର BDO କାର୍ଯ୍ୟାଳୟ ସହ ଅନଲାଇନ୍ ପୋର୍ଟାଲ୍ର ମଧ୍ୟ ସହାୟତା ନେଇପାରିବେ।
ଏହାସହ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ପୋର୍ଟାଲ୍ରେ ପରିବର୍ତ୍ତନ ଯୋଗୁଁ ଯେଉଁ ହିତାଧିକାରୀଙ୍କ ଭତ୍ତା ବକେୟା ରହିଛି, ସେମାନଙ୍କୁ ମଧ୍ୟ ବକେୟା ରାଶି ଏକକାଳୀନ ପ୍ରଦାନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ସେହିପରି ୮୦ ବର୍ଷ ବୟସ ପୂରଣ କରୁଥିବା ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି ପାଇଁ ନୂଆ ଆବେଦନର ଆବଶ୍ୟକତା ରହିବ ନାହିଁ; ନିୟମ ଅନୁଯାୟୀ ଏହା ସ୍ୱତଃ ବୃଦ୍ଧି ପାଇବ। ଏହି ପଦକ୍ଷେପ ଦ୍ୱାରା ବୟସ୍କ, ବିଧବା ଓ ଦିବ୍ୟାଙ୍ଗଙ୍କ ସମେତ ଯୋଗ୍ୟ ହିତାଧିକାରୀଙ୍କୁ ସମୟରେ ଆର୍ଥିକ ସହାୟତା ମିଳିବା ସହଜ ହେବ ବୋଲି ଆଶା କରାଯାଉଛି।

