Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Weather Update: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୧୫ ତାରିଖରେ ଅବପାତ ସମ୍ଭାବନା; ରାଜ୍ୟରେ ଆହୁରି ୬-୭ ଦିନ ହାଲୁକା ଥଣ୍ଡା ଅନୁଭୂତ ହେବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ବଙ୍ଗୋପସାଗରରେ ଆଗାମୀ ଦିନରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ନଭେମ୍ବର ୧୩ ତାରିଖବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ୧୪ ତାରିଖରେ ଏହା ଅଧିକ ସ୍ପଷ୍ଟ ଲଘୁଚାପରେ ପରିଣତ ହେବା ସହ ୧୫ ତାରିଖରେ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍‌କୁ ଖସିଥିବାବେଳେ ଜି. ଉଦୟଗିରିରେ ୧୨.୫ ଓ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ା, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ମଧ୍ୟ ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହିଛି। କଟକ, ଭଦ୍ରକର ରାଣୀତାଲ, ଯାଜପୁର ଓ ଖୋର୍ଦ୍ଧାରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ ହୋଇଛି।

IMDର ପୂର୍ବାନୁମାନ ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଫଳରେ ହାଲୁକା ଥଣ୍ଡା ଜାରି ରହିବ। ବୁଧବାର ଭୁବନେଶ୍ୱର ସମେତ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିଲା। ତେବେ ନଭେମ୍ବର ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ୧୮ରୁ ୨୧ ତାରିଖ ମଧ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ତେଣୁ ସମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବାର ଆଶଙ୍କା କମ୍‌ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories