Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bay of Bengal Cyclone: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା, ୧୯-୨୦ ତାରିଖରେ ଉପକୂଳ ଛୁଇଁବା ଆଶଙ୍କା; ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ମଡେଲ୍‌ଗୁଡ଼ିକ ସଙ୍କେତ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ନଭେମ୍ବର ୧୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ପରେ ୧୫ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେଇପାରେ। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ନେଇ ମଡେଲ୍‌ଗୁଡ଼ିକ ସଙ୍କେତ ଦେଉଥିବା ବେଳେ ଏହାର ଗତିପଥ ନେଇ ଭିନ୍ନ ଭିନ୍ନ ଆକଳନ ରହିଛି।

କେତେକ ମଡେଲ୍‌ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ଅନ୍ୟ କେତେକ ମଡେଲ୍‌ ଏହା ପଶ୍ଚିମବଙ୍ଗ, ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ଆକଳନ କରିଛନ୍ତି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଏହା ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାଭାଲିରୁ ମଛଲିପଟ୍ଟନମ୍‌ ମଧ୍ୟରେ ଉପକୂଳ ଛୁଇଁପାରେ। ଏପରି ହେଲେ ଓଡ଼ିଶାର ଗଞ୍ଜାମ, ଗଜପତି ଓ ପୁରୀରେ ୧୭-୧୮ ତାରିଖରୁ ପାଗ ବଦଳିବା ସହ ୧୯ରୁ ୨୧ ତାରିଖ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତିରେ ବର୍ଷା ହୋଇପାରେ। କେତେକ ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।

ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ, ତୀବ୍ରତା ଓ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ଏଯାଏଁ IMD ପକ୍ଷରୁ ସ୍ପଷ୍ଟ ଆକଳନ କରାଯାଇନାହିଁ। ଅବପାତ ସୃଷ୍ଟି ହେବା ପରେ ଏ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରିବ। ଅନ୍ୟପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୭ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁଙ୍କ ମତରେ, ୧୮-୧୯ ତାରିଖ ବେଳକୁ ରାଜ୍ୟରେ ପାଗ କୋହଲା ରହିପାରେ। ତେଣୁ ବାତ୍ୟାକୁ ନେଇ ଏବେଠାରୁ ଆତଙ୍କିତ ନହୋଇ ଆଗାମୀ ପାଣିପାଗ ବୁଲେଟିନ୍‌ ଉପରେ ନଜର ରଖିବା ଜରୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories