ଷଣ୍ଢପଥର ଏସଏସଡି ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡରମା ପଞ୍ଚାୟତର ଷଣ୍ଢପଥରସ୍ଥିତ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ‘ପିଏମ୍ ଶ୍ରୀ’ ଯୋଜନା ଅଧୀନରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଘାଟନୀ ସଭାରେ ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜମନକିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରବୀନ୍ଦ୍ର ପ୍ରସାଦ ଦାନୀ ଏବଂ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନାରାୟଣ ପଧାନ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିବୃନ୍ଦ ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଏବଂ ଅନ୍ୱେଷଣ ମନୋବୃତ୍ତିର ବିକାଶ ଦିଗରେ ଏଭଳି ବିଜ୍ଞାନ ପ୍ରଦର୍ଶନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ୱରୂପା ମାଝୀ ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର ସଭାକାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଭିନବ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ନିମନ୍ତେ ଜମନକିରା +୨ ଏବଂ +୩ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ସତ୍ୟ ପଟ୍ଟନାୟକ, ଚେତନା ଗଡ଼ତିଆ, ସୁଲକ୍ଷଣା ପଟେଲ ଏବଂ କୁଣ୍ଡଳୀ ମହାନନ୍ଦ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକର ବିଚାର କରିଥିଲେ।
ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଅତୁଲ୍ୟ ନାୟକ ଏବଂ ସମ୍ବିତ ପଟ୍ଟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜ୍ଞାନ ବିହାରୀ ଦାସ ଏବଂ ସୁମିତ ପଧାନ ଦ୍ୱିତୀୟ ଏବଂ ଶ୍ୱେତାଞ୍ଜଳି ସାହୁ ଓ ମୋନାଲିସା ବାଗ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି କନିଷ୍ଠ ବର୍ଗରେ ଅନିତା ମେଡକି ପ୍ରଥମ, ସରସ୍ୱତୀ ଦାସ ଦ୍ୱିତୀୟ ଏବଂ ରିତା ତିର୍କୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ସହକାରୀ ଶିକ୍ଷୟିତ୍ରୀ ମମତା ପଣ୍ଡା ବିଜ୍ଞାନ ପ୍ରଦର୍ଶନୀକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅଳକା ପଟେଲ ଏଥିରେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ତଥା ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା ସମସ୍ତ ଅତିଥି, ବିଚାରକ ମଣ୍ଡଳୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

