ଭୋଜପୁର ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ମା’ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ
ଜମନକିରା : ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳ (ଭୋଜପୁର)ର ନୂତନ କାର୍ଯ୍ୟାଳୟ ପରିସରରେ ପବିତ୍ର କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥି ଉପଲକ୍ଷେ ମହାସମାରୋହରେ ମା’ ଜଗଦ୍ଧାତ୍ରୀଙ୍କ ପୂଜୋତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବେ ଫରେଷ୍ଟର ସୁଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସିମାରାଣୀ ପଟେଲ ପୂଜାର୍ଚ୍ଚନା କରିଥିବା ବେଳେ ପୂଜକ ଭାବେ ନିଳାଞ୍ଚଳ ପାଣିଗ୍ରାହୀ ପୂଜା କର୍ମ କରିଥିଲେ।ବନାଞ୍ଚଳର ସମସ୍ତ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ସହଯୋଗରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଧି ମୁତାବକ ଗତ। ଗତକାଲି ମଙ୍ଗଳବାର ଅଷ୍ଟମୀ ତିଥି ଅପରାହ୍ନ ୪ଟା ୩୦ ରୁ କଳଶ ଅଧିବାସ ସହ ପୂଜାର ଶୁଭାରମ୍ଭ ହୋଇଥିଲା। ଆଜି ବୁଧବାର ପବିତ୍ର ନବମୀ ତିଥିରେ ସକାଳ ୮ଟା ୩୦ ମିନିଟ୍ରେ ମା’ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇ ଦିବା ୧୨ଟା ୩୦ ମିନିଟ୍ରୁ ୩ ଘଟିକା ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ଚଣ୍ଡୀହୋମ ଯଜ୍ଞ ସମ୍ପନ୍ନ ହୋଇଥିଲା। ପରେ ଅପରାହ୍ନ ୪ଟା ୩୦ ମିନିଟ୍ରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ଓ ଘଟ ବିସର୍ଜନ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ନିଷ୍ଠାର ସହ ଅନୁଷ୍ଠିତ ହୋଇଛି। ସୁସଜ୍ଜିତ ତୋରଣ ଓ ଆକର୍ଷଣୀୟ ସାଜସଜ୍ଜା ମଧ୍ୟରେ ସିଂହବାହିନୀ ମା’ ଜଗଦ୍ଧାତ୍ରୀଙ୍କ ସମେତ ପାର୍ଶ୍ୱ ଦେବାଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ପୂଜାମଣ୍ଡପରେ ଉପସ୍ଥିତ ରହି ମା’ଙ୍କ ଦିବ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପୂଜାର୍ଚ୍ଚନା ପରେ ଅନ୍ନପ୍ରସାଦ ସେବନ କରାଯାଇଥିଲା। ଆସନ୍ତା ଶୁକ୍ରବାର କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥି ସକାଳ ୯ଟାରୁ ୧୦ଟା ୩୦ ମିନିଟ୍ ମଧ୍ୟରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯିବା ନେଇ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

