ବର୍ଣ୍ଣି ଜଙ୍ଗଲ ରାସ୍ତାରେ ଚାଞ୍ଚଲ୍ୟ: ଗଛ ପକାଇ ତହସିଲଦାରଙ୍କ ପରିବାରକୁ ବନ୍ଧୁକ ମୁନରେ ଆକ୍ରମଣ ଉଦ୍ୟମ, ଡ୍ରାଇଭର ଆହତ ।
ବଲାଙ୍ଗୀର,୨୩।୧୧: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବର୍ଣ୍ଣି (ବର୍ନି) ଜଙ୍ଗଲ ରାସ୍ତାରେ ଏକ ଚାଞ୍ଚଲ୍ୟକର ଲୁଟ୍ ଉଦ୍ୟମ ଓ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ବରଗଡ଼ରୁ ଏକ ଚାରିଚକିଆ ଗାଡ଼ି ଯୋଗେ ସିନ୍ଧେକେଲା ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲଦାର ଦୀପ୍ତିରେଖାଙ୍କ ବାପା-ମାଆ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
ସୂଚନା ମୁତାବକ, ସିନ୍ଧେକେଲା ଯିବା ବାଟରେ ବର୍ଣ୍ଣି ଜଙ୍ଗଲ ନିକଟରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ରାସ୍ତା ଉପରେ ଗଛ ପକାଇ ଗାଡ଼ିକୁ ଅଟକାଇଥିଲେ। ଗାଡ଼ି ଅଟକିବା ପରେ ଦୁର୍ବୃତ୍ତ ମାନେ ଗାଡ଼ିର କାଚ ଭାଙ୍ଗି ଡ୍ରାଇଭରଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଟଙ୍କା ପଇସା ଦେବାକୁ ଧମକ ଦେଇଥିଲେ। ପ୍ରଥମେ ଡ୍ରାଇଭରଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିଲେ ମଧ୍ୟ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଗାଡ଼ି ନେଇ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ।
ଏହି ଘଟଣାରେ ଡ୍ରାଇଭରଙ୍କ ମୁଣ୍ଡ ଓ ହାତରେ ସାମାନ୍ୟ ଆହତ ଲାଗିଥିବା ବେଳେ ଗାଡ଼ିରେ ଥିବା ତହସିଲଦାରଙ୍କ ବାପା ଓ ମାଆ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବନ୍ଧୁକ ଧରି ଦୁର୍ବୃତ୍ତମାନେ ଧମକ ଦେଉଥିବା ବେଳେ ପରିବାର ଲୋକେ ସୁରକ୍ଷା ଦୃଷ୍ଟିରୁ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ସାମ୍ନା କରିଥିଲେ।
ଘଟଣା ସମ୍ପର୍କରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିବା ବେଳେ, ତହସିଲଦାର ଦୀପ୍ତିରେଖା (ଓଡ଼ିଶା ପ୍ରଶାସନିକ ସେବା) ଏବଂ ତାଙ୍କ ସାନ ଝିଅ (ଓଡ଼ିଶା ଫାଇନାନ୍ସ ସର୍ଭିସ୍) ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ଦିଗକୁ ମଧ୍ୟ ଗୁରୁତ୍ୱର ସହ ତଦନ୍ତ ପରିସରଭୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଠାବ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

