ଅଘଟଣ ପରେ ବଙ୍ଗୋମୁଣ୍ଡା ୪୦ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ କଲା ପ୍ରଶାସନ ।
ବଲାଙ୍ଗୀର,୨୩।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଆୟୋଜିତ ହେଉଥିବା ଐତିହାସିକ ୪୦ତମ ଧନୁଯାତ୍ରା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରଭାବରୁ ବାତିଲ କରି ଦିଆଯାଇଛି। ମହୋତ୍ସବର ପ୍ରଥମ ଦିନ ରାତିରେ ଘଟିଥିବା ଏକ ଅଭାବନୀୟ ତଥା ଦୁଃଖଦ ହାତୀ ଆକ୍ରମଣ ଘଟଣା ପରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି କଠୋର ନିଷ୍ପତ୍ତି ନେଇଛି।
ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ବଙ୍ଗୋମୁଣ୍ଡାରେ ୪୦ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମହାରାଜା ଉଗ୍ରସେନ ଏବଂ କଂସଙ୍କ ରାଜକୀୟ ପ୍ରବେଶ ନିମନ୍ତେ ବନାରସ ଅଞ୍ଚଳରୁ ଏକ ହାତୀ ଅଣାଯାଇଥିଲା। ତେବେ କୌଣସି କାରଣବଶତଃ ହାତୀଟି ହଠାତ୍ ଆକ୍ରମଣାତ୍ମକ ହୋଇପଡ଼ିବାରୁ ମାହୁନ୍ତ ତଥା ହାତୀ ମାଲିକ କାକେଶ୍ୱର ନାଥ ଦୁବେ (ବନାରସ, ଆହ୍ଲାବାଦ ଅଞ୍ଚଳ) ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।
ଏହି ହୃଦୟ ବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମହୋତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟଳୟ ପକ୍ଷରୁ (୨୩.୧୧.୨୦୨୬) ରେ ଏକ ଜରୁରୀକାଳୀନ ଆଦେଶନାମା ଜାରି କରିଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ମୃତକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବକୁ ସମ୍ପୂର୍ଣ୍ଣ ଭାବେ ବାତିଲ ବା ବାତିଲ ରଖିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ପଚାରିବାରୁ ଘଟଣାର ଗାମ୍ଭୀର୍ଯ୍ୟ ତଥା ଜନସାଧାରଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ମୃତକ ମାହୁନ୍ତଙ୍କ ପରିବାରବର୍ଗକୁ ସମବେଦନା ଜଣାଇ ଆମେ ଏହି ଧନୁଯାତ୍ରାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ବା ବାତିଲ କରିଛୁ । ଘଟଣାରେ ଆକ୍ରମଣ କରିଥିବା ହାତୀ ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ଓ ସେହି ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଆମେ ଉକ୍ତ ଧନୁଯାତ୍ରାକୁ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ, ଦୀର୍ଘ ଦିନର ପ୍ରସ୍ତୁତି ପରେ ୪୦ତମ ଧନୁଯାତ୍ରା ମହୋତ୍ସବ ଏଭଳି ଦୁଃଖଦ ପରିସ୍ଥିତିରେ ଅଧାରୁ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ କଳାକାର, ଆୟୋଜକ କମିଟି ଏବଂ ଧନୁଯାତ୍ରା ପ୍ରେମୀଙ୍କ ମହଲରେ ଗଭୀର ନିରାଶା ପ୍ରକାଶ ପାଇଛି। ପ୍ରଶାସନିକ ନିର୍ଦ୍ଦେଶ ପରେ ମହୋତ୍ସବ ସ୍ଥଳରେ ସମସ୍ତ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

