ହାତୀ ଉପଦ୍ରବ ଓ ଅଦିନିଆ ବର୍ଷା ବିତ୍ପାତରେ ହନ୍ତସନ୍ତ ଜମନକିରା ଚାଷୀ: ଖଳା ଅଭାବରୁ ରାଜରାସ୍ତାରେ ଶୁଖୁଛି କଷ୍ଟୋପାର୍ଜିତ ଧାନ, ସରକାରଙ୍କ ଉଦାସୀନତାକୁ ନେଇ ବଢ଼ୁଛି ଅସନ୍ତୋଷ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଏବେ ଅନ୍ନଦାତା ଚାଷୀକୂଳ ବହୁମୁଖୀ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ସରକାର ଓ ପ୍ରଶାସନର ଉଦାସୀନତା ଚାଷୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ଅର୍ଣ୍ଣବ ଓ ଓକ୍ସନ୍ର ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ବିତ୍ପାତ ଏବଂ ଅଞ୍ଚଳରେ ବଢ଼ିଚାଲିଥିବା ହାତୀ ଉପଦ୍ରବ ଯୋଗୁଁ ଜମନକିରା ବ୍ଲକର ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି । ଗୋଟିଏ ପଟେ ପାଚିଲା ଧାନ ଓ ଜମିକୁ ବଣୁଆ ହାତୀପଲ ମାଡ଼ି ଦଳି ଚକଟି ନଷ୍ଟ କରିଦେଉଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ସଦୃଶ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଠିକ୍ ସମୟରେ ଧାନ ଅମଳ କରିପାରୁନାହାନ୍ତି । ବହୁ କଷ୍ଟରେ ଯେଉଁ କିଛି ଧାନ ଅମଳ କରାଯାଇଛି, ତାହାକୁ ଶୁଖାଇବା ପାଇଁ ଗାଁରେ ଉପଯୁକ୍ତ ଖଳା ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ମୁଖ୍ୟ ପିଚୁ ରାସ୍ତାକୁ ସଫା କରି ସେଠାରେ ଧାନ ଶୁଖାଉଛନ୍ତି । ଜମନକିରା ଠାରୁ ପ୍ରାୟ ୧୪ କିଲୋମିଟର ଦୂର ଜମନକିରା ରୁ ଫାଶିମାଳ ଦେଇ ଯାଇଥିବା ଝାରସୁଗୁଡ଼ା କୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଚାଷୀମାନେ ବିପଦସଙ୍କୁଳ ଅବସ୍ଥାରେ ନିଜର କଷ୍ଟୋପାର୍ଜିତ ଧାନକୁ ସୁରକ୍ଷିତ ରଖିବା ପାଇଁ ଦିନରାତି ଜଗି ରହିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିର ସମୀକ୍ଷା କରି ଜମନକିରା ବ୍ଲକ କସଡ଼ା ପଞ୍ଚାୟତର ସରପଞ୍ଚ ହୁତାସିନୀ ନାୟକ କହିଛନ୍ତି ଯେ, ପ୍ରାୟ ୧୦ ଏକର ନିଜ ଜମିରେ ଚାଷ କରାଯାଇଥିବା ବେଳେ ଖଳା ଅଭାବ, ବର୍ଷା ଜଳ ସମସ୍ୟା, ଅଦିନିଆ ବର୍ଷା ଏବଂ ହାତୀ ଉପଦ୍ରବ ଯୋଗୁଁ ଆଜି ସେମାନେ ବାଧ୍ୟ ହୋଇ ରାସ୍ତାକୁ ସଫା କରି ଧାନ ଶୁଖାଉଛନ୍ତି, ନଚେତ୍ ଅମଳ ହୋଇଥିବା ସବୁତକ ଧାନ ମଧ୍ୟ ନଷ୍ଟ ହୋଇଯାଇଥାନ୍ତା । ଅନ୍ୟପକ୍ଷରେ ଏହି ସମସ୍ୟା ସଂକ୍ରାନ୍ତରେ ଜମନକିରା ବ୍ଲକ କୃଷି ଅଧିକାରୀ ତନ୍ମୟ ମୁର୍ମୁଙ୍କୁ ଯୋଗାଯୋଗ କରି ପଚାରିବାରୁ ଧାନ ଶୁଖାଇବା ପାଇଁ ଖଳା ନିର୍ମାଣ ନିମନ୍ତେ ସେଭଳି କୌଣସି ସରକାରୀ ପ୍ରୋତ୍ସାହନ କିମ୍ବା ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ଆସିନଥିବା ଓ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଅଧିକାରୀ ମାନେ ସୂଚନା ଜମା ଦେଇନଥିବା ସେ ପ୍ରକାଶ କରିଛନ୍ତି । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ବିଭିନ୍ନ ଯୋଜନା ଓ ଭିତ୍ତିଭୂମି ନିର୍ମାଣର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଗାଁ ଗହଳିରେ ଧାନ ଖଳାଟିଏ ନଥିବା ଏବଂ ଏଥିପାଇଁ କୌଣସି ସରକାରୀ ଯୋଜନା ନଥିବା ସରକାରୀ ବ୍ୟବସ୍ଥାର ବିଫଳତାକୁ ପଦାରେ ପକାଇଛି । ହାତୀ ଉପଦ୍ରବରୁ ଫସଲ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାରେ ପ୍ରଶାସନ କୁଣ୍ଠାବୋଧ କରୁଥିବା ଅଭିଯୋଗ ହୋଇଛି । ଖଳା ଅଭାବରୁ ରାସ୍ତା ଉପରେ ଧାନ ଶୁଖାଇବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବଢ଼ୁଥିଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଚାଷୀମାନେ ଏହି ପନ୍ଥା ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ହାତୀ ଉପଦ୍ରବ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ ସହାୟତା ଯୋଗାଇ ଦେବା ସହ ପ୍ରତ୍ୟେକ ପଞ୍ଚାୟତରେ ଉପଯୁକ୍ତ ଧାନ ଖଳା ନିର୍ମାଣ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଓ ଚାଷୀ ସଂଗଠନ ପକ୍ଷରୁ ଦୃଢ଼ ଦାବି ହୋଇଛି ।


